ମାଣବସା ଗୁରୁବାର
ଓଡ଼ିଶାରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥିମଧ୍ୟରୁ ମାଣବସା ଅନ୍ୟତମ । ଏହି ପର୍ବରେ ସମଗ୍ର ଓଡ଼ିଶାରେ ଖୁବ ଶ୍ରଦ୍ଧାର ସହିତ ମାଆ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ । ଏହି ଓଷା କରିବାର କିଛି ସ୍ବତନ୍ତ୍ର ବିଧି ରହିଛି ଯାହାକୁ ମାନି ସମସ୍ତେ ଏହି ବ୍ରତକୁ ପାଳନ କରିଥାଆନ୍ତି ।
ଓଡ଼ିଶାରେ ଅନେକ କୃଷିଭିତ୍ତିକ ପର୍ବ ପାଳିତ ହୋଇଥାଏ । ସେଥିରୁ ମାଣବସା ଗୁରୁବାର ବେଶ ନିଆରା । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ । ମାର୍ଗଶିର ମାସରେ ପ୍ରତିଟି ଓଡିଆ ଏହି ଓଷା ପାଳନ କରିଥାନ୍ତି । ଏହି ଓଷାରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା "ଧାନବେଣୀ"ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ । ମାଣ ବସାଇବାରୁ "ମାଣବସା" ନାମ ଆଧାରିତ । ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା ।
କିମ୍ବଦନ୍ତୀ
ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ । ଏହା ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କୁ ମାଣବସା ଗୁରୁବାର ବାବଦରେ ଜଣାଇ ଦେଶ ଭ୍ରମଣରେ ବଡ଼ ଦେଉଳରୁ ବିଜେ କଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି ବଳରାମ କୋପକଲେ । ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିବାରୁ ଜଣେ ଦଳିତ ଲୋକର ଘରେ ପାଦ ଦେଇଥିବାକୁ ଅପରାଧ ବିବେଚନା କରି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ତାଳବେତାଳ ନାମକ ଆଉ ଏକ ପ୍ରାସାଦ ଗଢ଼ାହେଲା । ଲକ୍ଷ୍ମୀ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେ ଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁଖରେ ପହଞ୍ଚିଲେ । ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ । ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ । ଏହି କୀମ୍ବଦନ୍ତି ଅନୁସାରେ ଓଡ଼ିଶାର ପୁରପଲ୍ଲୀରେ ଗୁରୁବାର ପାଳନ କରାଯାଇଥାଏ । ଘରର ସ୍ତ୍ରୀ ଲୋକମାନେ ମାଆଙ୍କ ପୂଜାକୁ ଲକ୍ଷ୍ମୀ ପୂରାଣରେ ବର୍ଣ୍ଣିତ ଅନୁସାରେ ଖୁବ ଶ୍ରଦ୍ଧାରେ ପାଳନ କରିଥାଆନ୍ତି ।


