ସହିଦ ଲକ୍ଷ୍ମଣ ନାୟକ
ଶୁଭ ଜନ୍ମଦିନ
୨୨ ନଭେମ୍ବର ୧୮୯୯ ମସିହାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମଣ ନାୟକ । ପିତା ପଦଲାମ ନାୟକ ଓ ମାତା ସମାରି ନାୟକଙ୍କର ଲକ୍ଷ୍ମଣ ନାୟକ ଥିଲେ ଦ୍ୱିତୀୟ ସନ୍ତାନ । ଲକ୍ଷ୍ମଣ ନାୟକ ଥିଲେ ଓଡ଼ିଶାର ଜଣେ ଅଗ୍ରଣୀ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ । ସେ ରହୁଥିବା ନିକଟରେ କୌଣସି ବିଦ୍ୟାଳୟ ନ ଥିବାରୁ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବରେ ବ୍ୟବହାର କରି ପିତାଙ୍କଠାରୁ ଅକ୍ଷର ଶିକ୍ଷା କରିଥିଲେ । ତେନ୍ତୁଳିଗୁମ୍ମାର ଲୋକମାନେ ଓଡ଼ିଆ, ଦେଶିଆ, ପରଜା, ଗାଦବା ଭାଷା ମିଶାମିଶି ଭାଷା କହୁଥିଲେ । ଲକ୍ଷ୍ମଣ ନାୟକ ଉଭୟ ଓଡ଼ିଆ, ଦେଶିଆ ଓ ପରଜା ଭାଷା କହିପାରୁଥିଲେ । ୧୯୩୦ ମସିହାରେ ପିତା ପଦଲାମ ନାୟକ ବୟସାଧିକ୍ୟ କାରଣରୁ ଅବସର ନେବାପରେ ଲକ୍ଷ୍ମଣ ନାୟକଙ୍କୁ ଜୟପୁର ରାଜାଙ୍କ ନିକଟରେ ନିୟୁକ୍ତି ମିଳିଥିଲା । ଏହାପରେ ସେ ଲକ୍ଷ୍ମଣ ଭୁମିୟାରୁ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହୋଇଥିଲେ । ତେବେ ନିଜ ଅଞ୍ଚଳର ଲୋକଙ୍କ ପାଇଁ ଅନେକ ଜନ ଆନ୍ଦୋଳନରେ ସେ ଭାଗନେବା ସହିତ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଥିଲେ । ହେଲେ ମାଥିଲି ଥାନା ଘେରାଉ ମାମଲାରେ ୧୯୪୨ ମସିହା ସେପେଫମ୍ବର ୨ ତାରିଖରେ ତେନ୍ତୁଳିିଗୁମାରୁ ଲକ୍ଷ୍ମଣ ଓ ତାଙ୍କ ପୁତ୍ର ରଘୁନାଥଙ୍କୁ ଓ ସନଗୁମ୍ମାରୁ ବନସିଂ ପୁଜାରୀଙ୍କୁ ଗୋରା ସରକାରଙ୍କଦ୍ୱାରା ଗିରଫ କରାଯାଇଥିଲା । ସେତେବେଳେର କୋରାପୁଟର ଅତିରିକ୍ତ ସେସନ୍ସ ଜଜ ଭି.ରାମନାଥଙ୍କ କୋର୍ଟରେ ବିଚାର କରାଯାଇ ଜି.ରାମୟା ନାମକ ଏକ ଫରେଷ୍ଟ ଗାର୍ଡ଼ଙ୍କୁ ହତ୍ୟା କରିଥିବାର ମିଥ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁଦଣ୍ଡାଦେଶ କରାଯାଇଥିଲା । ଏହାପରେ ୧୯୪୩ ମସିହା ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ଫାଶୀ ଦିଆଯାଇଥିଲା ।


