ସାଲିଆସାହିରେ ଜବର ଦଖଲ ଉଚ୍ଛେଦ
ବସ୍ତିବାସିନ୍ଦାଙ୍କ ବିରୋଧ
ଭୁବନେଶ୍ୱର : ରାଜଧାନୀ ଉପଖଣ୍ଡ ସାଲିଆ ସାହିରେ ବୁଲିଲା ବୁଲଡୋଜର । ବିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଉଥିବା ବେଳେ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିର କିଛି ଅଞ୍ଚଳ ଉଚ୍ଛେଦ କରାଯାଉଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ହେଉଛି । ଆଜିଠୁ ୨୪ତାରିଖ ପର୍ଯ୍ୟନ୍ତ ଏଠାରେ ଉଚ୍ଛେଦ କରାଯିବ । ୫୧୭ ଘରକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।
ଆଜି ଉଚ୍ଛେଦ ବେଳେ ଧାରଣାରେ ବସିଛନ୍ତି ବସ୍ତିବାସିନ୍ଦା । ସରକାର ଆମକୁ ଘର ଓ ଥଇଥାନ କରିବାକୁ ଦାବି କରି ସାଲିଆ ସାହିର ମହିଳାମାନେ ଧାରଣାରେ ବସିଛନ୍ତି । ସେମାନଙ୍କ କହିବା କଥା ସରକାର ଥଇଥାନ ନକରି ଆମକୁ ଘରୁ ବାହାର କରିଦେବା କେତେ ଦୂର ଠିକ୍ । କୋର୍ଟରେ ମାମଲା ଚାଲିଥିବା ବେଳେ ଉଚ୍ଛେଦ କାହିଁକି କରାଯାଉଛି ତାହାକୁ ନେଇ ବସ୍ତିବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି । ପୁଲିସ ଓ ବିଏମସି କର୍ମଚାରୀ ସେମାନଙ୍କୁ ବୁଝାଇବାକୁ ପ୍ରୟାସ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି ।


