ଜି-୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ
ଜୋହାନ୍ସବର୍ଗ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଶୁକ୍ରବାର ତିନିଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି। ଦକ୍ଷିଣ ଆଫ୍ରିକାର ଗୋଟେଙ୍ଗ ୱାଟର୍କଲୁଫ୍ ଏୟାରଫୋର୍ସ ବେସ୍ଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ସମୁଦାୟ ପକ୍ଷରୁ ଜୋରଦାର ସ୍ବାଗତ କରାଯାଇଥିଲା। ଏହି ଅବସରରେ ମୋଦୀ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଜୋହାନ୍ସବର୍ଗଠାରେ ଭେଟିଥିଲେ। ପ୍ରଥମ ଥର ପାଇଁ ଆଫ୍ରିକୀୟ ରାଷ୍ଟ୍ରରେ ଜି୨୦ ସମ୍ମିଳନୀ ଆୟୋଜିତ ହେଉଛି। ସମ୍ମିଳନୀରେ ବିଶ୍ବର ନେତାମାନଙ୍କ ସହିତ ଫଳପ୍ରଦ ଆଲୋଚନା ହେବ ବୋଲି ମୋଦୀ ଆଶାବାଦୀ ଅଛନ୍ତି। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦକ୍ଷିଣ ଆଫ୍ରିକାର ମନ୍ତ୍ରୀ ଖୁମ୍ବୁଦଜୋ ଏନ୍ସାଭେନି ସ୍ବାଗତ କରିଥିଲେ। ପାରମ୍ପରିକ ନାଚଗୀତରେ ମୋଦୀଙ୍କୁ ସ୍ବାଗତ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କ ନିମନ୍ତ୍ରଣକ୍ରମେ ମୋଦୀ ଏହି ଗସ୍ତ କରିଛନ୍ତି। ଗସ୍ତ ଅବସରରେ ସେ ଜୋହାନ୍ସବର୍ଗରେ ୨୦ତମ ଜି୨୦ ସମ୍ମିଳନୀରେ ଯୋଗ ଦେଉଛନ୍ତି। ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ କରିବା ପୂର୍ବରୁ ମୋଦୀ ଏକ ବିବୃତି ଜାରି କରି ଏହାକୁ ଏକ ସ୍ବତନ୍ତ୍ର ସମ୍ମିଳନୀ ବୋଲି କହିଛନ୍ତି। ମୋଦୀ କହିଛନ୍ତି, ଆଫ୍ରିକାରେ ଏହା ପ୍ରଥମ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୩ରେ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଥିବା ଜି-୨୦ ସମ୍ମିଳନୀରେ ଆଫ୍ରିକୀୟ ସଂଘ ପ୍ରଥମ ଥର ପାଇଁ ସଦସ୍ୟ ହୋଇଥିଲା। ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଶ୍ବିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଚଳିତ ବର୍ଷର ଜି୨୦ ସମ୍ମିଳନୀର ଥିମ୍ ରହିଛି, ‘ଏକତା-ସମାନତା-ନରନ୍ତରତା’।


