ବାଂଲାଦେଶୀ ମାଫିଆ ସିକନ୍ଦର ଆଲାମ ଗିରଫ
ଜଗତସିଂପୁର : ବାଂଲାଦେଶୀ ମୁଖିଆ ସିକନ୍ଦର ଆଲାମ ଗିରଫ । ୭ ଦିନ ଧରି ଲୁଚକାଳି ଖେଳ ପରେ ଯାଜପୁରରୁ ସିକନ୍ଦରକୁ ଗିରଫ କରିଛି ଜଗତସିଂହପୁର ପୋଲିସ । ଜଗତସିଂପୁର ଜିଲାରେ ବାଂଲାଦେଶୀଙ୍କ ଅନୁପ୍ରବେଶ ଘଟଣାରେ ମୁଖ୍ୟ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା ସିକନ୍ଦର । ସିକନ୍ଦରକୁ ଗିରଫ ସହ ତା ପାଖରୁ ଅନେକ ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ ସହ ପାସପୋର୍ଟ ଜବତ କରିଛି ପୁଲିସ । ସିକନ୍ଦରକୁ ଗିରଫ ପରେ ଅଜ୍ଞାତ ସ୍ଥାନକୁ ନେଇ ଯେରା କରୁଛି ପୁଲିସ । ସିକନ୍ଦରର ଜଗତ୍ସିଂହପୁର ସ୍ଥିତ ଘରେ ଚଢାଉ ପରେ ୭ ଦିନ ଧରି ସେ ଫେରାର ଥିଲା ।
ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବଜାର ନିକଟସ୍ଥ ଧନୀପୁର ବେହରାମପୁର ବସ୍ତିରେ ସିକନ୍ଦର ଅଲ୍ଲୀ ବେଆଇନ ଘର କରି ବାଂଲାଦେଶୀଙ୍କୁ ରଖିଥିଲା । ସରକାରୀ ଜମି ଉପରେ ପ୍ରାୟ ୧୦ ବଖରା ଘର କରିଥିଲା ସିକନ୍ଦର । ପୋଲିସ ଚଢ଼ାଉ ସମୟରେ ସିକନ୍ଦର ଫେରାର ହୋଇଯାଇଥିଲା । ଏହା ପରେ ପୋଲିସ ଜବର ଦଖଲ ଉଚ୍ଛେଦ କରିବା ସହିତ ଘରୁ ବନ୍ଧୁକ ସହିତ ମାରଣାସ୍ତ୍ର ଜବତ କରିଥିଲା । ସେଠାରେ ବିଭିନ୍ନ ପ୍ରକାର ବେଆଇନ କାମ ଚାଲୁଥିଲା । ଏହାର ସୁରାକ ପାଇ ବେହେରାମପୁର ବସ୍ତିରେ ଅନେକ ବାଂଲାଦେଶୀ ଙ୍କ ଘରେ ବୁଲଡୋଜର ଚଢାଇଛି ପୁଲିସ । ଆଜି ସିକନ୍ଦର ଗିରଫ ପରେ ଅନେକ ତଥ୍ୟ ସାମନାକୁ ଆସିବ ବୋଲି କୁହଯାଉଛି । ଘଟଣା ପରେ ଜଗତ୍ସିଂହପୁର ସମେତ କେନ୍ଦ୍ରାପଡ଼ା , ଭଦ୍ରକ , ଯାଜପୁର , ବାଲେଶ୍ବର ଜିଲାରେ ବାଂଲାଦେଶୀ ଯାଞ୍ଚ କରୁଛି ପୁଲିସ ।


