ଲୁଣ ଭାବି ଥିମେଟ୍ ଖାଇ ୩ ଶିଶୁ ଗୁରୁତର
ନୀଳଗିରି: ପିଲା ଖେଳ ହେଲା କାଳ । ଲୁଣ ଭାବି ଥିମେଟ୍ ଖାଇଦେଲେ ୩ ଶିଶୁ । ଗୁରୁତର ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ମହିଷାପଟା ପଞ୍ଚାୟତ ଶାଳବଣି ରାଜାସାହିରେ ଘଟିଛି ଏହି ଅଘଟଣ । ପରିବାର ଲୋକେ ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ କିଛି ପିଲା ଗାଁ ଦାଣ୍ଡରେ ବୋହୂ ବୋହୂକା ଖେଳ ଖେଳୁଥିଲେ । ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ । ଏହି ସମୟରେ ଗୁରୁତର ହୋଇଥିବା ୩ ପିଲା ପିଆଜରେ ଲୁଣ ଭାବି ଘରୁ ଆଣିଥିବା ଥିମେଟ ଗୋଳାଇ ଖାଇ ଦେଇଥିଲେ । ଗୁରୁତର ଶିଶୁମାନେ ହେଲେ ଗ୍ରାମର ବାବୁଲା ସିଂଙ୍କ ପୁଅ ଯୁବରାଜ ସିଂ,ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ, ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ।
ପରିବାର ଲୋକେ ବିଲରୁ କାମ ସାରି ଫେରିବା ପରେ ସେମାନଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ସେପଟେ ଯୁବରାଜଙ୍କ ଅବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ରାତିରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।


