ଭୁବନେଶ୍ୱରରେ ସିବିଆଇ ଯୁଗ୍ମ ନିର୍ଦେଶକ ଅନୁରାଗ କୁମାର
ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାର କରିବେ ତଦନ୍ତ
ଭୁବନେଶ୍ୱର : ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସିବିଆଇ ଯୁଗ୍ମ ନିର୍ଦେଶକ ଅନୁରାଗ କୁମାର । ତୃଣମୂଳ ସ୍ତରରୁ ଯାଞ୍ଚ କରିବା ପାଇଁ ଅନୁରାଗ କୁମାରଙ୍କ ଅଧ୍ୟକ୍ଷତାରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସମସ୍ତ ନଥିପତ୍ର ଯାଞ୍ଚ କରିବା ସହିତ ତନାଘନା ଆରମ୍ଭ କରିଛନ୍ତି । ଅନୁରାଗ କୁମାରଙ୍କ ନେତୃତ୍ୱରେ ଶନିବାର ଠାରୁ ତଦନ୍ତ ଆରମ୍ଭ ହେବ । ଆନ୍ତଃ ରାଜ୍ୟ କ୍ରାଇମ୍ ସିଣ୍ଡିକେଟର ଗୁମର ଖୋଲିବ ସିବିଆଇ।ପରୀକ୍ଷା ଲାଗି ହୋଇଥିବା ୧୦୦୦ କୋଟି ଡିଲର ଖିଅ ଖୋଲିବାକୁ ସିବିଆଇ ତଦନ୍ତକୁ ଜୋରଦାର କରୁଛି। ଏହାସହ ଓପିଆରବିର ଅଧିକାରୀଙ୍କୁ ପଚରାଉଚୁରା କରିବ ।
ସିବିଆଇ ପ୍ରଥମେ ବ୍ରହ୍ମପୁର ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରସ୍ତୁତ ପାଇଁ ଚୟନ ପ୍ରକ୍ରିୟା, ପରୀକ୍ଷା ପରିଚାଳନରେ ସ୍ଵଚ୍ଛତା ସିଣ୍ଡିକେଟ ସହ ଲିଙ୍କ ଆଦିର ବିସ୍ତୃତ ଖୋଳତାଡ଼ କରିବ । ଏଥିସହ ମାଷ୍ଟରମାଇଣ୍ଡ ଶଙ୍କର ଓ ସିଲିକନ ଟେକ୍ ଲାବ୍ ର ନିର୍ଦେଶକ ସୁରେଶ ନାୟକ ସମେତ କିଛି ଦଲାଲଙ୍କୁ ରିମାଣ୍ଡରେ ନେଇ ପୁଣି ଥରେ ସିବିଆଇ ଜେରା କରିପାରେ ବୋଲି ସୂଚନା ମିଳିଛି ।




