ଡିସେମ୍ବର ୯ ତାରିଖରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି
ଡିସେମ୍ବର ୧ ରୁ ଅନଲାଇନରେ ଟିକେଟ୍ ବିକ୍ରି
କଟକ : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀ ଷ୍ଟାଡିୟମରେ ଖେଳାହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ । ଆସନ୍ତା ଡିସେମ୍ବର ୯ ତାରିଖରେ ମ୍ୟାଚ ଖେଳାଯିବ । ଏଥିପାଇଁ ବିଭିନ୍ନ ଗ୍ୟାଲେରୀର ନିରାପତ୍ତା ନିରୀକ୍ଷଣ କରିଛି ବିଶେଷଜ୍ଞ ଟିମ୍ ।
ଓସିଏର ଟେକ୍ନିକାଲ କମିଟି ସହ ଭୁବନେଶ୍ୱର ଆଇଆଇଟିର ବିଶେଷଜ୍ଞ ଓ ଆର ଆଣ୍ଡ ବି ବିଭାଗର ଯନ୍ତ୍ରୀ ମାନେ ବାରବାଟୀ ଷ୍ଟାଡିୟମର ୫, ୬ ଓ ୭ ନମ୍ବର ଗ୍ୟାଲେରୀର ସ୍ଥିତି ଓ ମରାମତି କାମ ନିରୀକ୍ଷଣ କରିଛନ୍ତି । କମିଟି ଆସନ୍ତା ୬ ତାରିଖ ସୁଦ୍ଧା ନିଜର ରିପୋର୍ଟ ଓସିଏ ସହ ରାଜ୍ୟ ସରକାରଙ୍କୁ ଦେଶ ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ କହିଛନ୍ତି ।
ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ତାରିଖ ଘୋଷଣା କରିଛି ଓସିଏ । ପ୍ରଥମେ ଅନଲାଇନରେ ଟିକେଟ୍ ବିକ୍ରି କରାଯିବା ପରେ ଅଫଲାଇନରେ ଟିକେଟ୍ ପାଇବେ କ୍ରିକେଟପ୍ରେମୀ । ଡିସେମ୍ବର ୧ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଅନୁବନ୍ଧିତ ଅନୁଷ୍ଠାନ ଗୁଡ଼ିକୁ ଟିକେଟ ପ୍ରଦାନ କରାଯିବ । ୫ ତାରିଖରେ ଅଫଲାଇନରେ ୬ଟି କାଉଣ୍ଟର ଯୋଗେ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି । ବାରବାଟୀର ପାଖାପାଖି ୬ଟି ଗ୍ୟାଲେରୀ ମରାମତି କାମ ଚାଲୁଥିବାରୁ ଚଳିତ ଥର ଟିକେଟ ସଂଖ୍ୟା କମ ରହିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।
୨୦୨୫ରେ ଦ୍ଵିତୀୟ ଥର ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍ । ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରି ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଏବେ ପୁଣି ଥରେ କ୍ରିକେଟ୍ ପ୍ରେମୀ ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚର ମଜା ଉଠାଇବେ । ଏନେଇ ଜିଲ୍ଲା ପ୍ରଶାସନ ବି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ତେବେ ଚଳିତ ଥର ୭ ନମ୍ବର ଗ୍ୟାଲେରୀର କାନାଡା ଓ ଥାଇଲାଣ୍ଡର ବିଶେଷଜ୍ଞ ମାନଙ୍କ ଦ୍ଵାରା କରାଯାଇଛି ଓ ଗ୍ୟାଲେରୀ ସମ୍ପୂର୍ଣ୍ଣ ନିରାପଦ ଅଛି ବୋଲି ଓସିଏ ବୈଷୟିକ କମିଟି ମୁଖ୍ୟ କହିଛନ୍ତି । ସେପଟେ ତିନି ଗ୍ୟାଲେରୀରେ ଦର୍ଶକଙ୍କ ନିରାପତ୍ତା ନିଶ୍ଚିତ କରାଇବା ପାଇଁ ସ୍ଵତନ୍ତ୍ର କରିଡର ବ୍ୟବସ୍ଥା ହୋଇଥିବା କମିଟି କହିଛି ।


