ଋତୁସ୍ରାବରେ ଖାଦ୍ୟଦେବ ଉପଶମ
ଋତୁସ୍ରାବ ସମୟରେ ମହିଳାଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । କେବଳ ପେଟ ଯନ୍ତ୍ରଣା ନୁହେଁ ଏହି ସମୟରେ ସେମାନଙ୍କର ମୁଡ୍ ସୁଇଂ ମଧ୍ୟ ଅଧିକ ପରିମାଣରେ ହୋଇଥାଏ । ଏହି ସମସ୍ତ ସମସ୍ୟାକୁ କିଛି ଘରୋଇ ଖାଦ୍ୟ ଦ୍ୱାରା ନିୟନ୍ତ୍ରଣରେ ରଖିହେବ । ପୁରାପୁରି ଭଲ ନହେଲେ ମଧ୍ୟ କିଛି ମାତ୍ରାରେ ଏହି ଖାଦ୍ୟ ସହାୟତା କରିବ । ତେବେ ନିଜ ସ୍ୱାସ୍ଥ୍ୟ ହିସାବରେ ଏହି ଖାଦ୍ୟ ଗ୍ରହଣ କରନ୍ତୁ ।
- ୟୋଗର୍ଟରେ କ୍ୟାଲସିୟମ ଓ ପ୍ରୋଟିନ୍ର ଭରପୂର ମାତ୍ରା ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ । ଏହାସହିତ ୟୋଗର୍ଟ ଋତୁସ୍ରାବ ପୂର୍ବରୁ ହେଉଥିବା ସମସ୍ୟାକୁ ମଧ୍ୟ କମ କରିବାରେ ସହାୟକ ହୋଇଥାଏ । ଏହାସହିତ ଆପଣ ଫଳ ଓ ବାଦାମ ମିଶାଇ ଖାଇପାରିବେ ।
- ବିଭିନ୍ନ ପ୍ରକାର ମଞ୍ଜି ଜାତିୟ ଖାଦ୍ୟ ଯେପରିକି ବାଦାମ, କାଜୁ, ଆଲମଣ୍ଡ ଆଦିକୁ ଖାଇପାରିବେ । ଏ ସମସ୍ତ ଖାଦ୍ୟ ଆପଣଙ୍କୁ ଋତୁସ୍ରାବ ସମୟରେ ବାରମ୍ବାର ଖାଦ୍ୟ ଖାଇବାକୁ ହେଉଥିବା ଇଛାରୁ ମୁକ୍ତି ଦେବ ।
- ଏହି ସମୟରେ ପାଚିଲା କଦଳୀ ଖାଆନ୍ତୁ । ପାଚିଲା କଦଳୀରେ ପଟାସିୟମ ଏବଂ ଭିଟାମିନ୍ ବି୬ ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଋତୁସ୍ରାବ ସମୟରେ ଆପଣଙ୍କ ମନକୁ ଭଲ ରଖିବା ସହିତ ମୁଡ୍ସୁଇଂ ହେବାକୁ ଦେଇନଥାଏ ।
- ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ ନିଜକୁ ହାଇଡ୍ରେଟେଡ୍ ରଖନ୍ତୁ । ଅଧିକ ପାଣି ସହିତ ପଇଡ ପାଣି, ପରିବା ଜୁସ, ଫଳ ରସ ଆଦି ପିଅନ୍ତୁ । ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରୁ ଉପଶମ କରାଇବ ।


