‘ଭାଷା ନିର୍ଯାତନା’ ପାଇଁ ଆତ୍ମହତ୍ୟା କରିଦେଲେ ଛାତ୍ର
ଥାନେ: କଲ୍ୟାଣର ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ଭାଷା ନିର୍ଯାତନା ପାଇଁ ଆତ୍ମହତ୍ୟା କରିଦେଇଛନ୍ତି। ଏକ ଗହଳିପୂର୍ଣ୍ଣ ଲୋକାଲ୍ ଟ୍ରେନ୍ରେ ଯାତ୍ରୀଙ୍କୁ ଭିତରକୁ ଯିବାପାଇଁ ଛାତ୍ର ଜଣଙ୍କ ଯେଉଁ ‘ଭାଷା’ ବ୍ୟବହାର କରିଥିଲେ ସେଥିପାଇଁ ସହଯାତ୍ରୀମାନେ ତାଙ୍କୁ ବିରୋଧ କରିଥିଲେ। ଛାତ୍ର ଜଣଙ୍କ ହେଉଛନ୍ତି କୋଲସେୱାଡ଼ି ବାସିନ୍ଦା ଏବଂ ସେ ଦ୍ବିତୀୟ ବର୍ଷର ଅଣ୍ଡରଗ୍ରାଜୁଏଟ୍। ସେ କଲ୍ୟାଣରୁ ସିଏସ୍ଏମ୍ଟିକୁ ଏକ ଲୋକାଲ ଟ୍ରେନ୍ରେ ଯାତ୍ରା କରିଥିଲେ। ସେକେଣ୍ଡ କ୍ଲାସ କମ୍ପାର୍ଟମେଣ୍ଟରେ ଯାତ୍ରୀମାନେ ଭର୍ତ୍ତି ହୋଇଥିଲେ। ତେବେ ଟ୍ରେନ୍ ଛାଡ଼ିବାରୁ ଛାତ୍ର ଜଣଙ୍କ ହିନ୍ଦୀରେ କହିଥିଲେ ‘ଅନ୍ଦର ଚଲୋ, ଅନ୍ଦର ଚଲୋ’। ଏହି ସମୟରେ କିଛି ଯାତ୍ରୀ ଛାତ୍ର ଜଣଙ୍କ ହିନ୍ଦୀ କହୁଥିବାରୁ ତାଙ୍କୁ ବିରୋଧ କରିଥିଲେ। ମରାଠୀ ହୋଇ ସେ ହିନ୍ଦୀ କାହିଁକି କହୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ କରିଥିଲେ। ଛାତ୍ର ଜଣଙ୍କ ଯେତେବେଳେ କହିଥିଲେ ଯେ ତାଙ୍କୁ ମରାଠୀ ମଧ୍ୟ ଆସେ ସେହି ସମୟରେ ଯାତ୍ରୀମାନେ ତାଙ୍କୁ ମାତୃଭାଷାକୁ ବିରୋଧ କରୁଥିବା ନେଇ ଥଟ୍ଟା ପରିହାସ କରିଥିଲେ। ପରେ ସେମାନଙ୍କ ମଧ୍ୟରେ ବଚସା ବଢ଼ିଥିଲା। ଛାତ୍ର ଜଣଙ୍କ ଏହାପରେ କଲେଜ ଯାଇଥିଲେ। କିନ୍ତୁ ତାଙ୍କ ପରିବାର ସଦସ୍ୟ ଦାବି କରିଥିଲେ ଯେ ସେ ଖୁବ୍ ଚାପରେ ଥିଲେ। ସେଦିନ ସେ ତାଙ୍କ ବାପାଙ୍କୁ ଫୋନ୍ କରି ଘଟଣା ସଂକ୍ରାନ୍ତରେ କହିଥିଲେ। ତାଙ୍କ ବାପା ତାଙ୍କୁ ଏହି ଘଟଣା ଭୁଲି ପାଠ ଉପରେ ଧ୍ୟାନ ଦେବାପାଇଁ କହିଥିଲେ। ତେବେ ଛାତ୍ରଙ୍କ ବାପା ସନ୍ଧ୍ୟା ୭ଟା ବେଳେ ଘରକୁ ଫେରିବାବେଳେ ଦେଖିଥିଲେ ଯେ ଛାତ୍ରଙ୍କ ରୁମ୍ ଭିତରପଟୁ ବନ୍ଦ ଅଛି। ବାରମ୍ବାର କବାଟ ବାଡ଼େଇବା ସତ୍ତ୍ବେ ସେ କବାଟ ନଖୋଲିବାରୁ ପଡ଼ୋଶୀମାନେ କବାଟ ଭାଙ୍ଗି ଦେଇଥିଲେ। ଛାତ୍ର ଜଣଙ୍କ ସ୍କାର୍ଫ ସାହାଯ୍ୟରେ ସିଲିଂ ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ତାଙ୍କୁ ହସ୍ପିଟାଲା ନିଆଯାଇଥିବା ବେଳେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।


