ଜଗତସିଂପୁରରେ ବଡ଼ ଧରଣର ବାଂଲାଦେଶୀ ଚିହ୍ନଟ ଅଭିଯାନ
ଜଗତସିଂହପୁର: ଅପରେସନ ବାଂଲାଦେଶୀ ହଟାଓ ଅଭିଯାନ । ଆଜି ବି ଜଗତସିଂପୁରରେ ଚାଲିଛି ବଡ଼ ଧରଣର ଚଢ଼ାଉ । ବେଆଇନ ଭାବେ ବାଂଲାଦେଶୀଙ୍କୁ ଆଣି ଭଡ଼ାଘରେ ରଖିବା ଘଟଣାର ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଘରେ ପୋଲିସ ଚଢ଼ାଉ ଜାରି ରହିଛି । ଧନିପୁର ବସ୍ତିରେ ଥିବା ଘରେ ଚାଲିଛି ପୋଲିସର ସର୍ଚ୍ଚ ଅପରେସନ୍। ଏଥିପାଇଁ ଅତିରିକ୍ତ ଏସ୍ପି ଓ ଏସ୍ଡିପିଓଙ୍କ ସହ ୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସରକାରୀ ଜାଗା, ବେଆଇନ୍ ମଦ୍ରାସା, ନକଲି ଆଧାର କାର୍ଡ କରି ବାଂଲାଦେଶୀଙ୍କ ସର୍ଦ୍ଦାର ସାଜିଥିଲା ସିକନ୍ଦର ଆଲାମ । ବାଂଲାଦେଶରୁ ଗଳା ବାଟ ଦେଇ ବେଆଇନ ଭାବରେ ଲୋକଙ୍କୁ ଆଣି ଜଗତସିଂହପୁରରେ ଥଇଥାନ କରୁଥିଲା । ତେବେ ଚଢ଼ାଉ ଖବର ପାଇ ଖସି ପଳାଇଛି କାର୍ପଟଦାର ସିକନ୍ଦର ଆଲାମ । ପୂର୍ବରୁ ମର୍ଚ୍ଚାଣ୍ଟ ନ୍ୟାଭିରେ ଥିବା ସିକନ୍ଦର ୫ଟି ଦେଶରୁ ଆଣି ସେଠାରେ ମଦ୍ରାସା ଚଳାଉଥିଲା । ଏବେ ସେ ଫେରାର୍ ଥିବାବେଳେ ପୋଲିସ ତାକୁ ଧରିବାକୁ ଆରମ୍ଭ କରିଛି ଚଢ଼ାଉ । ସିକନ୍ଦର ବାଂଲାଦେଶ ପଳାଇଥିବା ଅନୁମାନ କରାଯାଉଛି I
ସୂଚନାନୁସାରେ,ଜଗତସିଂହପୁର ଜିଲ୍ଲା ବେହେରାମପୁରରେ ବାଂଲାଦେଶୀଙ୍କ ବେଆଇନ ଜବର ଦଖଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି ଇ ଆଡ୍ଡାରୁ ବିପୁଳ ମାରଣାସ୍ତ୍ର ଜବତ ପରେ ବାଂଲାଦେଶୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚାଲିଛି । ବାଲିକୁଦା ଥାନା ଅଞ୍ଚଳ, ପାରାଦୀପ, ଏରସମା, କୁଜଙ୍ଗ, ବିରିଡ଼ି ଏବଂ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଛାପା ମାରି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରିଛି ପୁଲିସ । ସାତପୁରା ବସ୍ତିରୁ ସ୍ଥାନାନ୍ତର ହୋଇଥିବା ୨୫ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଆଧାର, ଭୋଟର କାର୍ଡ, ରାସନ କାର୍ଡ ଓ ଘରବାଡ଼ି ପଟ୍ଟାକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ତନଖି କରିଛନ୍ତି ପୁଲିସ । ଏହାସହ କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକରେ ଜୋରଦାର ହୋଇଛି ବାଂଲାଦେଶୀ ହଟାଓ ଅଭିଯାନ । ବେଆଇନ ଭାବେ ଓଡ଼ିଶାରେ ଆସି ରହୁଥିବା ଲୋକଙ୍କ ପରିଚୟ ପତ୍ର ଯାଞ୍ଚ କରୁଛି ପ୍ରଶାସନ ।


