ଛୁରୀ ଭୁସି ବାପା-ମା'ଙ୍କୁ ହତ୍ୟା କଲା ନୃଶଂସ ପୁଅ
କଟକ : କଟକରେ ଡବଲ ମର୍ଡର । ବାପା ଓ ସାବତ ମାଆକୁ ହତ୍ୟା କଲା ନୃଶଂସ ପୁଅ । ଗତକାଲି ରାତିରେ ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଦୀପକ କୁମାର ଦାସ ଓ ରିତାରାଣୀ ଦାସ । ଅଭିଯୁକ୍ତ ପୁଅ ହେଲା ଆଲୋକ ଦାସ । ତେବେ ଏହି ଘଟଣାରେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ହତ୍ୟାକାରୀ ପୁଅ । ପୁଲିସ ଦୁଇ ଜଣଙ୍କ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । ଅର୍ଥ କାରବାର ଓ ଜମିବାଡିକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଥିଲା ।
ସୂଚନାନୁସାରେ,ଆଲୋକଙ୍କ ବାପା ଦୀପକ ଦାସ ଜେଲ ବିଭାଗରେ ସେଲ୍ସ୍ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ରିତାରାଣୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ I ତେବେ ଦ୍ୱିତୀୟ ବିବାହ ପରେ ଆଲୋକଙ୍କୁ ଲଗାତାର ଅବହେଳା କରି ଆସୁଥିଲେ ବାପା I ଏହା ସହ ଦ୍ୱିତୀୟପତ୍ନୀଙ୍କ ପୁତୁରାକୁ ଆଣି ଘରେ ରଖିବାରୁ ବାପାଙ୍କ ଠାରୁ ଦୁରେଇ ଯାଇଥିଲେ ଆଲୋକ । ତେବେ ଅର୍ଥ କାରବାର ଏବଂ ଜମିବାଡ଼ିକୁ ନେଇ ବାପାଙ୍କ ସହ ବିବାଦ ହୋଇଥିଲା I ଏହି ଘଟଣାକୁ ନେଇ ଗତକାଲି ରାତିରେ ଆଲୋକ ଦରଘା ବଜାର ଓଲ୍ଡ ଜେଲ୍ କଲୋନୀରେ ରହୁଥିବା ବାପାଙ୍କ ଘରକୁ ଆସିଥିଲେ I ସେଠାରେ ଟଙ୍କା ଦେଣନେଣକୁ ନେଇ ବାପା ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଏଥିରେ ଉତ୍ୟକ୍ତ ହୋଇ ଆଲୋକ ସାଙ୍ଗରେ ଆଣିଥିବା ଏକ ଧାରୁଆ ଛୁରୀରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ପତ୍ନୀଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲା । ଘଟଣାସ୍ଥଳରେ ଦାରାଘବଜାର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ହତ୍ୟାକାରୀ ପୁଅକୁ ଅଟକ ରଖିଛି ।


