ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ମୃତ ଏକାଧିକ ଆହତ
ଚାନ୍ଦବାଲି/ସମ୍ବଲପୁର/ଢେଙ୍କାନାଳ/କେନ୍ଦୁଝର : ଭଦ୍ରକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସ ଧକ୍କାରେ ୨ ସ୍କୁଟି ଆରୋହୀ ମୃତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତା କମାରିଆ ଛକରେ ଘଟିଛି ଦୁର୍ଘଟଣା । ମୃତକ ହେଲେ ଗୋଲଖ ଦାସ (୫୫) ଓ ଦୈତାରୀ ପୁହାଣ (୪୨) । ମୃତକଙ୍କ ଘର ତିହିଡି ଥାନା ଅନ୍ତର୍ଗତ ବାଲିଚାତୁରୀ ଗାଁରେ । ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ବସକୁ ଅଟକ ରଖିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚି ବୁଝାସୁଝା କରୁଛି ।
ସେହିପରି, ସମ୍ବଲପୁରରେ ବାଲି ବୋଝେଇ ଟ୍ରକକୁ ଧକ୍କା ଦେଇ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଆମ୍ବୁଲାନ୍ସ ଆଟେଡାଣ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭରଙ୍କ ସହିତ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୫ ଗୁରୁତରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁର – କଟକ ୫୫ନଂ ଜାତୀୟ ରାଜପଥ ଯୁଜୁମୁରା ଥାନା ଫୁଲଝରଣ ନିକଟରେ ଘଟିଛି ଏହି ଦୁର୍ଘଟଣା । ଜଣେ ଦୁର୍ଘଟଣାଗ୍ରସ୍ତଙ୍କୁ ବୌଦ୍ଧ ମେଡିକାଲରୁ ନେଇ ବୁର୍ଲା ଯିବା ବାଟରେ ଆମ୍ବୁଲାନ୍ସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଡ୍ରାଇଭର ଏବଂ ଆଟେଣ୍ଡ।ଣ୍ଟ ଆମ୍ବୁଲାନ୍ସରେ ଚାପି ହୋଇଥିବା ବେଳେ ଅଗ୍ନିଶମ ପହଞ୍ଚି ମୃତଦେହ ବାହାର କରିଥିଲା ।
ଅନ୍ୟପଟେ , ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଅଞ୍ଚଳରେ ଘଟିଛି ପୁଣି ଏକ ବସ ଦୁର୍ଘଟଣା । ଆଜି ଭୋର ୪ ଟା ସମୟରେ କନକଦୁର୍ଗା ମନ୍ଦିର ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାଉରକେଲାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଏକ ଗଛକୁ ଧକ୍କା ଦେଇଛି । ବସରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବାବେଳେ କାହାର ବିଶେଷ କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । କେବଳ ଦୁଇ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦାରଖ କରୁଛି ।
ସେପଟେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଘଟିଛି ସିରିଜ୍ ଦୁର୍ଘଟଣା । ଏକ ଲୁହା ପଥର ବୋଝେଇ ଟ୍ରକ ରଙ୍ଗ ରୁଟରେ ଆସି ଗୋଟିଏ ପରେ ଗୋଟିଏ କରି ୩ଟି କାରକୁ ଧକ୍କା ଦେଇଥିଲା । ମାତ୍ର ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯାତ୍ରୀ ମାତ୍ର ଗାଡ଼ିଗୁଡ଼ିକ ଭାଙ୍ଗି ଚୁରମାର ହୋଇଯାଇଥିଲା । କେନ୍ଦୁଝର ଜିଲ୍ଲା କୁମଡ଼ ଛକ ନିକଟରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାସ୍ଥଳରୁ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି ।


