ଘର ବ୍ୟତୀତ ସମସ୍ତ ସମ୍ପତ୍ତି ଜନ ସୁରାଜ ପାର୍ଟିକୁ ଦାନ କଲେ ପ୍ରଶାନ୍ତ କିଶୋର

ଘର ବ୍ୟତୀତ ସମସ୍ତ ସମ୍ପତ୍ତି ଜନ ସୁରାଜ ପାର୍ଟିକୁ ଦାନ କଲେ ପ୍ରଶାନ୍ତ କିଶୋର
Samaya Live Desk Picture
Published On


ପାଟନା: ବିହାର ବିଧାନସଭା ନିର୍ବାଚନରେ ୨୩୮ ଆସନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ଗୋଟିଏ ବି ଆସନରେ ଜିତି ପାରି ନାହିଁ। କିନ୍ତୁ ପ୍ରଶାନ୍ତ ନିଜର ଦଳକୁ ଚଳେଇବାକୁ ତାଙ୍କର ସମ୍ପତ୍ତିର ବୃହତ୍ ଅଂଶ ଦାନ କରି ଦେଇଛନ୍ତି। ଦିଲ୍ଲୀରେ ଥିବା ତାଙ୍କର ଗୋଟିଏ ଘର ବ୍ୟତୀତ  ପ୍ରଶାନ୍ତ ତାଙ୍କର ସମସ୍ତ ସମ୍ପତ୍ତି ଦଳକୁ  ଦାନ କରିବାକୁ ଘୋଷଣା କରିଛନ୍ତି। ପ୍ରଶାନ୍ତ ଏହାସହିତ ଆଗାମୀ ପାଞ୍ଚବର୍ଷ ପର୍ଯ୍ୟନ୍ତ ତାଙ୍କ ଆୟର ୯୦ ପ୍ରତିଶତ ଜନ ସୁରାଜ ପାର୍ଟିକୁ ଦାନ କରିବେ। ରାଜନୈତିକ ଦଳଗୁଡ଼ିକୁ ପରାମର୍ଶ ଦେବା ପାଇଁ ସେ ମୋଟା ଅଙ୍କର ଅର୍ଥ ଆୟ କରିଥାନ୍ତି। ଦଳର ପରାଜୟ ପାଇଁ ପ୍ରଶାନ୍ତ ଚମ୍ପାରଣର ଗାନ୍ଧୀ ଆଶ୍ରମରେ ୨୪ ଘଣ୍ଟା ପା‌ଇଁ ପ୍ରାୟଶ୍ଚିତ୍ତ ଉପବାସ କରିଥିଲେ। ଉପବାସ ଭଙ୍ଗ କରିବା ପରେ ସେ ଏହିସବୁ ଘୋଷଣା କରିବା ସହିତ ୧୫ ଜାନୁଆରିରୁ ଦଳ ବିହାରରେ ନୂଆ ଅଭିଯାନ ଆରମ୍ଭ କରିବ ବୋଲି ସୂଚନା ଦେଇଛନ୍ତି। ଦଳ ପ୍ରତି ୱାର୍ଡ଼ ବୁଲି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି କି ନାହିଁ ଦେଖିବ। ସରକାର ନିର୍ବାଚନ ବେଳେ ମହିଳାଙ୍କୁ ଯେଉଁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲେ, ତାହା ପୂରଣ କରୁଛନ୍ତି କି ନାହିଁ ତାହା ଦେଖିବ ଓ ଭ‌ୋଟ ବିକ୍ରି ନ କରିବାକୁ ମହିଳାଙ୍କୁ ବୁଝାଇବ।