ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ
ଡିସେମ୍ବର ୧ ବେଳକୁ ବାତ୍ୟା ସମ୍ଭାବନା
ଭୁବନେଶ୍ୱର : ଶୁକ୍ରବାର ଦକ୍ଷିଣ - ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଦିଗ ବଜାୟ ରଖିବା ସହ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହୋଇପାରେ । ଏହା ପ୍ରଭାବରେ, ଓଡ଼ିଶାରେ ଚାରି ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ନଭେମ୍ବର ୨୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଅନ୍ୟପଟେ, ଡିସେମ୍ବର ୧ ତାରିଖ ବେଳକୁ ରାଜ୍ୟକୁ ରହିଛି ପୁଣି ଏକ ବାତ୍ୟା ଆଶଙ୍କା । ୱିଣ୍ଡିର ଆକଳନ ଅନୁସାରେ ଓଡ଼ିଶାକୁ ହିଟ୍ କରିପାରେ ବାତ୍ୟା। ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇ ନଥିବାବେଳେ ଆନ୍ଧ୍ର-ଓଡିଶା ଉପକୂଳରେ ବାତ୍ୟା ଆଶଙ୍କା ରହିଛି । କାରଣ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏହା ୨୯ କିମ୍ବା ୩୦ ତାରିଖରେ ନେଇପାରେ ଭୀଷଣ ରୂପ । ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସ୍ଥିର ରହିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ ।


