ଶାମ୍ବ ଦଶମୀ 

ଶାମ୍ବ ଦଶମୀ 
Ipsita Picture
By: Ipsita


ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଇଥାଏ ଶାମ୍ବ ଦଶମୀ । ଏହା ହେଉଛି ସୂର୍ଯ୍ୟଙ୍କ ପୂଜାର ପର୍ବ । ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କୁହାଯାଇଥାଏ । ଏହିଦିନ ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।
କିମ୍ବଦନ୍ତୀ ଅନୁସାରେ ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ଥିବାବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହେଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନ୍ତେ ଅଭିଶାପ ଦେଲେ । ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସାଙ୍କୁ ପୁତ୍ର ଶାମ୍ବଙ୍କର କୁଷ୍ଠ ମୁକ୍ତି ଉପାୟ ପଚାରିଥିଲେ । ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ , ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି । ଯାହାକୁ ଶାମ୍ବ ଦଶମୀ ଭାବେ ପାଳନ କରାଯାଇଥାଏ ।

ସମ୍ବନ୍ଧିତ ଖବର ଆଜି ପୌଷ ପୂର୍ଣ୍ଣିମା,ମହାପ୍ରଭୁଙ୍କ ଦେଵାଭିଷେକ ନୀତି

Tags: