ସ୍ୱାଭାବିକ ହେଲା ମଣ୍ଡି ସମସ୍ୟା
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ସ୍ୱାଭାବିକ ହେବ ମଣ୍ଡି। କାର୍ଯ୍ୟକ୍ଷମ ହେବ ସମସ୍ତ ମିଲ। ରାଜ୍ୟ ସରକାର-ମିଲର୍ସଙ୍କ ଭିତରେ ଚାଲିଥିବା ଛକାପଞ୍ଝାରେ ସାମୟିକ ପୂର୍ଣ୍ଣଚ୍ଛେଦ ପଡ଼ିଛି । ମିଲର୍ସଙ୍କ ରହିଥିବା ୪ଟି ପ୍ରମୁଖ ଦାବି ଭିତରୁ ସରକାର ଗୋଟିଏ ଦାବି ମାନି ନେଇଛନ୍ତି । ତେବେ ଆସନ୍ତା ୧୫ଦିନ ଭିତରେ ସରକାର ଅନ୍ୟ ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନକଲେ ମିଲର୍ସମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ମିଲର୍ସମାନଙ୍କ ଆନ୍ଦୋଳନ ପାଇଁ ରାଜ୍ୟରେ ୩ଦିନ ହେବ ଧାନକିଣା ବନ୍ଦ ହୋଇଯାଇଛି । ଚାଷୀମାନେ ମଣ୍ଡିରେ ଧାନକୁ ଜଗି ଶୀତ କାକରରେ ପଡ଼ି ରହିଛନ୍ତି । ଅନେକ ଚାଷୀଙ୍କ ଟୋକନ୍ ଲାପ୍ସ ହୋଇଗଲାଣି । ରାଜ୍ୟ ସରକାର ଓ ମିଲର୍ସଙ୍କ ଭିତରେ ହୋଇଥିବା ବୈଠକ ବିଫଳ ହେବା ପରେ ସମସ୍ୟା ଆହୁରି ବଢ଼ି ଯାଇଥିଲା । ତେବେ ଏହି ଅଚଳାବସ୍ଥାର ସମାଧାନ ହୋଇଛି। ରାଜ୍ୟରେ ଏବେ ଧାନ ଉଠାଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୧୯ଟି ଜିଲ୍ଲାରେ ଧାନ କିଣା ଜାରି ରହିଛି । ମିଲରମାନଙ୍କ କିଛି ଦାବିଙ୍କୁ ସରକାର ମାନିଛନ୍ତି, ଏନେଇ ସରକାରଙ୍କର ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।



