ସରକାରଙ୍କ କନ୍ୟା ବିବାହ ଯୋଜନା,ଉତ୍କଳିକାରୁ କିଣାଯିବ ବିବାହ ସାମଗ୍ରୀ
ଭୁବନେଶ୍ୱର : ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ଦିଆଯିବ ଉପହାର । ଉତ୍କଳିକା ମାଧ୍ୟମରେ ସରକାର ହିତାଧିକାରୀଙ୍କୁ ଏହି ସାମଗ୍ରୀ ଯୋଗାଇ ଦେବେ। ଏହାଦ୍ଵାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଏନେଇ ପ୍ରଭାତୀ କହିଛନ୍ତି , ତିଥି ଆସିଲେ ବିବାହ ଆରମ୍ଭ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି ।
ଏହି ଯୋଜନାରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ଦିଆଯିବ। ସରକାର ମୋଟ୍ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୫ ହଜାର ଟଙ୍କା ଯିବ। ସରକାର ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଟଙ୍କା ଦେବେ। ଏଥିପାଇଁ ଝିଅର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁମାନେ ଗରିବ ସେଇମାନେ ଏଥିରେ ଲାଭ ପାଇବେ। ବିଧବା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ଉତ୍କଳିକା ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।



