ମଦ ପିଇ ଉତ୍ପାତ କଲେ ବନ୍ଧା ହେବେ
ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନ ଖାରଜ କଲେ ଅବକାରୀ ବିଭାଗ
ଭୁବନେଶ୍ୱର: ଜିରୋ ନାଇଟ ପାଇଁ ପୋଲିସ କମିଶନରଙ୍କ ଚେତାବନୀ । ମଦ ପିଇ ଉତ୍ପାତକଲେ ବନ୍ଧା ହେବେ, ଥାନାରେ କଟିବ ରାତି । ନୂଆବର୍ଷ ପାଇଁ ରାଜଧାନୀରେ ୧୮ଟି ପ୍ଲାଟୁନ ଫୋର୍ସ ମୁତୟନ ସହ ୧୮ ଜାଗାରେ ନାକାବନ୍ଦୀ ରହିବ । ୨୯ଟି ଛକରେ ୱାଚ ଟିମ୍ ପକ୍ଷରୁ ଚେକିଂ କରାଯିବ। ଜିରୋ ନାଇଟରେ ୧୨ଟାରେ ବୁଲିବ କ୍ୱିକ୍ ରିଆକସନ ଟିମ୍ । ହୋଟେଲ, ବାର ପବକୁ ୧୨ ଯାଏଁ ପ୍ରୋଗ୍ରାମ ନିମନ୍ତେ ଅନୁମତି ମିଳିଛି । ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଓ ମଦ୍ୟପ ଚାଳକ ଉପରେ ଲଗାମ ଲଗାଇବା ପାଇଁ ଡିସିପିଙ୍କ ନେତୃତ୍ବରେ ୫ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୩୦ ଇନ୍ସପେକ୍ଟର, ୯୬ ଜଣ ସବଇନ୍ସପେକ୍ଟର ଓ ଏଏସଆଇ ଓ ୫୮ କନଷ୍ଟେବଳ ନିୟୋଜିତ ହେବେ।
ଯେଉଁମାନେ ନିଜ କ୍ୟାମ୍ପସ ଯେପରିକି ଆପାର୍ଟମେଣ୍ଟ ବା କଲୋନୀ ଭିତରେ ସେଲିବ୍ରେସନ କରିବାକୁ ଚାହୁଁଛନ୍ତି, ସେମାନେ ନିୟମାବଳୀ ମାନିବାକୁ ବାଧ୍ୟ । ଡିଜେ ବଜାଇବାକୁ କାହାରିକୁ ମଧ୍ୟ ଅନୁମତି ମିଳିନାହିଁ । ସେହିପରି ନନ୍ଦନକାନନ, ଧଉଳି, ଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଅସୁରକ୍ଷିତ ସ୍ଥାନକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି କମିଶନର ।
ସେପଟେ,ନୂଆବର୍ଷ ପାଇଁ ଆକ୍ସନ ମୁଡ଼ରେ ରହିଛି ଅବକାରୀ ବିଭାଗ । ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ଶହ ଶହ ଇଭେଣ୍ଟ ଅର୍ଗାନାଇଜର। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଭୁବନେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିକଟରେ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ପାଇଁ ୩୦ଟି ଇଭେଣ୍ଟ ଅର୍ଗାନାଇଜର ଆବେଦନ କରିଥିଲେ। ୨୫ ଲୋକଙ୍କ ପାଇଁ ୩ ହଜାର, ୨୫ରୁ୧୦୦ ଲୋକଙ୍କ ପାଇଁ ୫ ହଜାର, ୧୦୧ ଲୋକଙ୍କ ଠାରୁ ୨୦୦ ଶହ ଲୋକଙ୍କ ପାଇଁ ୧୦ ହଜାର, ୨୦୧ରୁ୫୦୦ ଲୋକଙ୍କ ପାଇଁ ୧୫ ହଜାର, ୫୦୧-୧୦୦୦ ଲୋକଙ୍କ ପାଇଁ ଦିନିକିଆ ଅସ୍ଥାୟୀ ଲାଇସେନ୍ସ ଫି ୨୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ। ୧ ହଜାରୁ ଅଧିକ ଲୋକଙ୍କ ପାଇଁ ଦିନିକିଆ ଲାଇସେନ୍ସ ଫି’ ୨୫ ହଜାର ଟଙ୍କା ଦେବାକୁ ପଡିବ । ସେହି ହିସାବରେ ହୋଟେଲ୍, ମଲ୍, ଓ ବିଭିନ୍ନ କ୍ଲବ୍ ଓ ସୋସାଇଟି ପକ୍ଷରୁ ୩୦ଟି ଅସ୍ଥାୟୀ ଆବେଦନ କରାଯାଇଥିଲା । ସେମାନଙ୍କୁ ଗତ ଶନିବାରଠାରୁ ଲାଇସେନ୍ସ ମିଳିବାର ଥିଲା। ତେବେ ସମସ୍ତଙ୍କ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ ।



