୨୬ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଭୁସୁଡୁଛି ଲାଲ ଦୁର୍ଗ । ମାଓ ସଂଗଠନକୁ ଶକ୍ତ ଝଟକା । ପୋଲିସ ନିକଟରେ ଅସ୍ତ୍ର ଛାଡ଼ି ଗୋଲାପ ଧରିଲେ ମାଓ ସଦସ୍ୟ । ମୁଖ୍ୟସ୍ରୋତରେ ସାମିଲ ହେବ। ପାଇଁ ଆନ୍ଧ୍ର ଓଡିଶା ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୭ ମହିଳା ମାଓବାଦୀ ରହିଛନ୍ତି । ସମସ୍ତଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନଙ୍କ ନିକଟରେ ଆନ୍ଧ୍ର ଓଡିଶା ବର୍ଡର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଓଡିଶା ଏବଂ ସୁକମା ଅଞ୍ଚଳରେ ସକ୍ରିୟ ରହି ହିଂସାକାଣ୍ଡ ଘଟାଉଥିଲେ । ସରକାରଙ୍କ ଆତ୍ମସମର୍ପଣ ନିତିରେ ଆକର୍ଷିତ ହୋଇ ସମସ୍ତେ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ।
ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ମାସିକ ୧୦ ହଜାର ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଏମାନେ ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଡେଡଲାଇନ ପୂର୍ବରୁ ଖାଲି ହେଉଛି ମାଓଗଡ଼। ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ନିକଟରେ ୩୫ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ ବସ୍ତର ପୋଲିସ ଓ ମହାରାଷ୍ଟ୍ରର ଗଡ଼ଚିରଲୀ ପୋଲିସ ନିକଟରେ ଏମାନେ ସରେଣ୍ଡର କରିଥିଲେ।



