ତୁରନ୍ତ ଦୋଷୀକୁ ଧରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର - ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ସାରା ରାଜ୍ୟକୁ ସ୍ତବ୍ଧ କରିଛି ଏକ ସମ୍ବେଦନଶୀଳ ଖବର । ଏକ। ସହିତ ୩ ଟି କୋର୍ଟକୁ ବୋମାରେ ଉଡାଇ ଦେବାକୁ ମିଳିଛି ଧମକ । ଆଜି ପୂର୍ବାହ୍ନରେ ପ୍ରଥମେ ସମ୍ବଲପୁର କୋର୍ଟକୁ ଇ-ମେଲ ଜରିଆରେ ମିଳିଥିଲା ବୋମା ଧମକ । କୋର୍ଟ ପରିସରରେ ଆଣ୍ଟି ବୋମା ସ୍କ୍ୱାର୍ଡ ଏବଂ ଡଗ ସ୍କ୍ୱାର୍ଡ ପହଞ୍ଚି ତନାଘନା ଚଳାଇ ଥିବାବେଳେ ପୁଣି ଥରେ ଦେବଗଡ଼ ଏବଂ କଟକ ଜିଲ୍ଲା ଜଜ କୋର୍ଟକୁ ମିଳିଛି ବୋମା ଧମକ ।
ଏହାକୁ ନେଇ ତୁରନ୍ତ ଦୋଷୀକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ପୃକ୍ତ ଅପରାଧୀକୁ ଖୋଜି ବାହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କ ସହିତ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଠାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି । ସନ୍ଧ୍ୟାରେ ଏ ସମ୍ପର୍କରେ ଆଉ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସମୀକ୍ଷା କରିବେ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଉଚ୍ଚପଦସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି, ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା କ୍ଷେତ୍ରରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇ ପାରିବ ନାହିଁ । ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ସମ୍ପୃକ୍ତ ସ୍ଥାନଗୁଡ଼ିକୁ ଅଧିକାରୀମାନଙ୍କୁ ପଠାଇବାକୁ କହିଛନ୍ତି।
ସେପଟେ,କଟକ ଜିଲ୍ଲା କୋର୍ଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଡିଜିପି । ପ୍ରତିଷେଧକ ଭାବେ ହାଇକୋର୍ଟକୁ ଖାଲି କରାଯାଇଛି । ଲୋକମାନଙ୍କୁ ଭୟଭୀତ ନହୋଇ ସହଯୋଗ କରିବାକୁ ଅପିଲ କରିଛନ୍ତି ଡିଜିପି । ତେବେ ଏହା ଏକ ଫେକ ଇ-ମେଲ ଯାହାକି ତାମିଲନାଡ଼ୁରୁ ଆସିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ବୋମା ଖବର ପ୍ରଚାରିତ ହେବା ପରେ ତ୍ୱରିତ ବେଗରେ ଚାଲିଥିଲା ଯାଞ୍ଚ । ପ୍ରାଥମିକ ତଦନ୍ତ ପରେ ଏହା ଏକ ମିଛ ବୋମା ଧମକ ଥିଲା ବୋଲି ସୂଚନା ଦେଇଥିଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ବ୍ୟସ୍ତ ବିବ୍ରତ ହେବାର ନାହିଁ । କେବଳ ରାଜ୍ୟ ନୁହଁ ଦେଶର କିଛି କୋର୍ଟ ଗୁଡିକୁ hoax mail ଯାଇଛି । ଏହାକୁ ନେଇ ଆତଙ୍କିତ ହେବାର ନାହିଁ । କିନ୍ତୁ କିଏ ଏମିତି କରିଛି ତାକୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିନ ୨ ଟା ପରେ ସ୍ଵାଭାଵିକ ହୋଇଛି କୋର୍ଟ କାର୍ଯ୍ୟ ।



