ମାଇନସ ଡିଗ୍ରୀକୁ ଖସିଲା ଶିମିଳିପାଳ ତାପମାତ୍ରା
ମୟୁରଭଞ୍ଜ : ସାରା ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ। ପ୍ରବଳ କୁହୁଡି ସାଙ୍ଗକୁ ଭୟଙ୍କର ଜାଡ ମାଡ଼ରେ ଅସ୍ତବ୍ୟସ୍ତ ମୟୁରଭଞ୍ଜ ବାସୀ। ମାଇନସ ଡିଗ୍ରୀକୁ ଖସିଲା ରାତି ତାପମାତ୍ରା । ଗତ ଦୁଇ ଦିନଧରି ଶିମିଳିପାଳରେ ଶୂନ୍ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି -୧ ଡିଗ୍ରୀକୁ ଖସିଛି ପାରଦ । ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି ଶିମିଳିପାଳର ୟୁବିକେ (UBK)। ଚହଲା ଏବଂ ଗୁଡ଼ିଗୁଡ଼ିଆରେ ୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଶିମିଳିପାଳର ବିଭିନ୍ନ ଅଞ୍ଚଳରେ ତୁଷାରପାତ ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି । ତେବେ ଶିମିଳିପାଳ ସାଙ୍ଗକୁ ବାରିପଦା ସହର ସମେତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଜାରି ରହିଛି ଶୀତ ଲହରୀ ଇ ରାତି ସାଙ୍ଗକୁ ଦିନରେ ବି ଗରମ ପୋଷାକ ଦେହରୁ ଓହ୍ଲାଇ ହେଉନାହିଁ । ସନ୍ଧ୍ୟା ନହେଉଣୁ ପିଲା ଠାରୁ ବୟସ୍କ ଯାଏଁ ନିଆଁ ପୋଇଁ ହେଉଥିବା ଦେଖିବାକୁ ମିଳିଛି ।
ସେପଟେ ଝାରସୁଗୁଡ଼ାରେ ପୁଣି ରେକର୍ଡ କରିଛି ଥଣ୍ଡା । ସକାଳ ୫ଟା ସୁଦ୍ଧା ୫.୬ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା । ରାଜଧାନୀରେ ପାରଦ ୧୧.୬ ଡିଗ୍ରୀ ଛୁଇଁଛି। ଆହୁରି ୧୫ ଦିନ ଯାଏ ପାଗ ଶୁଖିଲା ରହିବ । ଆଜି ଶୀତଲହରୀ ପାଇଁ ୧୧ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୨ତାରିଖରୁ ପୁଣି ବଢିବ କୁହୁଡ଼ି । ୧୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ସହ କିଛି କିଛି ସ୍ଥାନରେ ଘନକୁହୁଡ଼ିର ସମ୍ଭାବନା ରହିଛି।



