ରେକର୍ଡ କଲା ରାଜଧାନୀ ଶୀତ ,ଆହୁରି ୩ ଦିନ କଲବଲ
ଭୁବନେଶ୍ୱର : ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଉପକୂଳରୁ ଉପାନ୍ତ ସବୁଠି ପାରଦ ତଳମୁହାଁ । ୧୨ ଡିଗ୍ରୀ ତଳେ ୩୮ ସହର । ୯ ଡିଗ୍ରୀ ଛୁଇଁ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱରର ରାତି ତାପମାତ୍ରା । ଜାନୁଆରୀ ମାସରେ ଭୁବନେଶ୍ୱରର ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଗତରାତିରେ ଭୁବନେଶ୍ୱରର ରାତି ତାପମାତ୍ରା ୯.୪ ରେକର୍ଡ ହୋଇଛି । ଗତ ୧୩ ବର୍ଷ ପରେ ୯ ଡିଗ୍ରୀ ଛୁଇଁଛି ରାଜଧାନୀର ରାତି ତାପମାତ୍ରା । ଗତକାଲି ଭୁବନେଶ୍ବରରେ ତାପମାତ୍ର ୯.୪ ରେକର୍ଡ କରାଯାଇ ଥିବାବେଳେ ଏହାପୂର୍ବରୁ ୨୦୧୨ରେ ୯.୩ ଡିଗ୍ରୀ ଥିଲା।
ପୂର୍ବରୁ ୧୯୫୨ ମସିହାରେ ୯.୪ ଡିଗ୍ରୀ ତାପମାତ୍ର ହୋଇଥିଲା । ୧୯୯୨ରେ ୮.୬, ୨୦୦୩ରେ ୯ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେପଟେ ଝାରସୁଗୁଡା ୮.୮ ଡିଗ୍ରୀ, କେନ୍ଦୁଝର ୯.୮ ଡିଗ୍ରୀ, ବାଲେଶ୍ୱର ୧୨ ଡିଗ୍ରୀ, ପାରାଦୀପ ୧୩.୪ ଡିଗ୍ରୀ, ଚାନ୍ଦବାଲି ୧୩.୬ ଡିଗ୍ରୀ, ଗୋପାଳପୁର ୧୪.୬ ଡିଗ୍ରୀ, ପୁରୀ ୧୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଗତକାଲି ଶିମିଳିପାଳରେ ଶୂନ ଡିଗ୍ରୀକୁ ଚାଲିଯାଇଥିଲା ପାରଦ। କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ ।
ସେପଟେ ସୁନ୍ଦରଗଡ଼ କୋଇଡ଼ାରେ ତୁଷାରପାତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମହକୁମା ସମେତ ଟେନ୍ ସା, କାଲଟା, ପାଟମୁଣ୍ଡା, ସାନଇନ୍ଦିପୁର, ମାଲଦା, ଜଳଡିହି ପ୍ରଭୃତି ଅଞ୍ଚଳରେ ତୁଷାରପାତ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ଦୁଇ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବା ନେଇ ପାଣିପାଗ ବିଭାଗର ସୂଚନା ରହିଛି ।



