ସାମୟିକ ସ୍ଥଗିତ ରହିଲା ଡାକ୍ତର ସଂଘ ଆନ୍ଦୋଳନ
ଭୁବନେଶ୍ୱର: ଅନ୍ଦୋଳନରୁ ଓହରିଲେ ଡାକ୍ତର ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଛନ୍ତି ଡାକ୍ତର ସଙ୍ଘ । ଏ ନେଇ ସୂଚନା ଦେଇଛନ୍ତି OMSA ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର । ଆସନ୍ତାକାଲି ଶୁକ୍ରବାରଠାରୁ ସ୍ୱାସ୍ଥ୍ୟସେବା ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି । ଆଜି ଅପରାହ୍ନରେ ଓମସା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ଜରୁରୀ ବୈଠକ କରିଥିଲେ ।
ଡାକ୍ତର ସଂଘ ରଖିଥିବା ସମସ୍ତ ଦାବି ମଧ୍ୟରୁ ପ୍ରାୟ ସମସ୍ତ ଦାବି ମାନିବାକୁ ସରକାର ରାଜି ହୋଇଛନ୍ତି । ଫଳରେ ଆସନ୍ତାକାଲିଠାରୁ କାର୍ଯ୍ୟରେ ଯୋଗ ଦେବେ ଡାକ୍ତର ସଂଘ ।
ଆଜି ମଧ୍ୟ ୨ଘଣ୍ଟା ପାଇଁ ଓପିଡି ବନ୍ଦ ରଖି ଆନ୍ଦୋଳନ କରୁଥିଲା ଡାକ୍ତର ସଂଘ । ଫଳରେ ରୋଗୀ ସେବା ବ୍ୟାହତ ହେଉଥିଲା । ସରକାର ଲଗାଇଥିବା ଏସମାକୁ ନମାନି ଡାକ୍ତର ସଂଘ ନିଜ ଜିଦରେ ଅଟଳ ରହିଥିଲେ । ୧୪ଦଫା ଦାବି ପୂରଣ ନେଇ ଡିସେମ୍ବର ୨୬ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଥିଲା ଡାକ୍ତର ସଂଘ । ଜାନୁଆରୀ ୫ ତାରିଖରୁ ୨ ଘଣ୍ଟିଆ ବନ୍ଦ ରହୁଥିଲା ଓପିଡ଼ି ସେବା । ଏସମା ଲାଗୁ ହେବା ପରେ ମଧ୍ୟ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଥିଲା ।



