ମଣ୍ଡା ଖିଆ ଅସୁର
ଆଈମା କାହାଣୀ ପେଡିରେ ଅନେକ ଏଭଳି ଗଳ୍ପ ପରିବେଷଣ ହୋଇଥାଏ ଯେଉଁଥିରେ ଛୋଟଛୋଟ ପିଲାଙ୍କୁ ବିଭିନ୍ନ କାଳ୍ପନିକ ଚରିତ୍ର ସାହାଯ୍ୟରେ ଜୀବନର ମୂଲ୍ୟବାନ ରହସ୍ୟ ସମ୍ପର୍କରେ ଜ୍ଞାନ ଦିଆଯାଇଥାଏ । ଏହିଭଳି ଗଳ୍ପର ଅନେକ ତାଲିକା ଥିବାବେଳେ ସେଥିରୁ ଗୋଟିଏ ହେଲା ମଣ୍ଡା ଖିଆ ଅସୁର ।
ପିଲାଦିନେ ଏଭଳି ଅନେକ ଗଳ୍ପ ଆମେ ଶୁଣିବାକୁ ପାଉ ଯେଉଁଥିରେ ଅତି ସରଳ ଭାବେ ଜୀବନର ଜଟିଳ କଥାକୁ ବୁଝାଯାଇଥାଏ । ଏହି ତାଲିକାରେ ବିଭିନ୍ନ ଗଳ୍ପ ସ୍ଥାନ ପାଇଥାଏ, କେଉଁଥିରେ ପକ୍ଷୀ ପଶୁଙ୍କର ସାହାରା ନିଆଯାଇଥାଏ ତ ଆଉ କେଉଁଥିରେ ଅନ୍ୟ ବିଭିନ୍ନ ଚରିତ୍ରଗୁଡିକର । ଆସନ୍ତୁ ସେହିଭଳି ଏକ ଗଳ୍ପ ବିଷୟରେ ପଢିବା ଯାହାହେଲା ପୁରାତନ କାଳରେ ଏକ ଗାଁ ପାଖ ଜଙ୍ଗଲରେ ଏକ ବଡ଼ ଅସୁର ରହୁଥିଲା। ସେ ଅସୁରଟି ଖୁବ୍ ବଳଶାଳୀ ଥିଲା ସତ, କିନ୍ତୁ ସେତିକି ନିର୍ବୋଧ ମଧ୍ୟ ଥିଲା। ସେ ଗାଁ ଲୋକଙ୍କୁ ଭୟଭୀତ କରି ସେମାନଙ୍କ ଠାରୁ ବିଭିନ୍ନ ପ୍ରକାରର ଖାଦ୍ୟ ଛଡ଼ାଇ ନେଇ ଖାଉଥିଲା। ବିଶେଷ କରି ବିଭିନ୍ନ ପର୍ବପର୍ବାଣିରେ ଯେତେବେଳେ ଲୋକେ ମଣ୍ଡା ପିଠା ତିଆରି କରନ୍ତି, ସେହି ବାସ୍ନାରେ ଅସୁର ଗାଁକୁ ଚାଲିଆସେ ଏବଂ ସବୁ ପିଠା ଖାଇଯାଏ। ଏଥିପାଇଁ ତାର ନାମ ଗ୍ରାମ ବାସୀ 'ମଣ୍ଡାଖିଆ ଅସୁର' ଦେଇଥିଲେ। ତେବେ ଗ୍ରାମବାସୀ ଅସୁରର ଅତ୍ୟାଚାରରେ ଅତିଷ୍ଠ ହୋଇଥିଲେ ମଧ୍ୟ ତାହାକୁ ଉଚିତ ଦଣ୍ଡ ଦେବାପାଇଁ କାହାପାଖେ ସାହସ ନଥିଲା । ତେବେ ଏହି ସମୟରେ ଏକ ଛୋଟ ପିଲା ନିଜର ବୁଦ୍ଧି ଦେଖେଇଥିଲା । ଥରେ ଗୋଟିଏ ବୁଦ୍ଧିଆ ପିଲା ସେହି ଅସୁରକୁ ପାନେ ଦେବା ପାଇଁ ଏକ ଉପାୟ ଚିନ୍ତା କଲା। ସେ ଜାଣିଥିଲା ଯେ ଅସୁରଟି ଭାରି ଲୋଭୀ। ପିଲାଟି ତା' ଘର ବାହାରେ ବସି ଏକ ବଡ଼ କଡ଼େଇରେ ଧଳା ଧଳା ଗୋଡ଼ିକୁ ଚୂନ ପାଣିରେ ଗୋଳାଇ ମଣ୍ଡା ପିଠା ପରି ଦେଖାଯାଉଥିବା ଜିନିଷ ତିଆରି କଲା। ଅସୁରଟି ସେହି ବାଟ ଦେଇ ଯାଉଥିବାବେଳେ ପିଲାଟିକୁ ପିଠା ଖାଇବାକୁ ମାଗିଲା । ପିଲାଟି ସେଗୁଡିକ ଲୁହା ମଣ୍ଡା ବୋଲି ଅସୁରକୁ କହିଥିଲା । ଏହାକୁ ଖାଇଲେ ଶରୀର ପଥର ପରି ଶକ୍ତ ହୋଇଯିବ, କିନ୍ତୁ ଏହା ଗରମ ଥିବା ବେଳେ ହିଁ ଗିଳିବାକୁ ପଡ଼ିବବୋଲି ପିଲାଟି ଅସୁରକୁ କହିଥିଲା । ଅସୁର ସେହି ଧଳାଧଳା ବଡବଡ ମଣ୍ଡା ଦେଖି ଆଉ ଲୋଭ ସମ୍ଭାଳି ନପାରି ସେହି ଗରମ ଚୂନ ଗୋଳା ଗୋଡ଼ି ଗୁଡ଼ିକୁ ପିଠା ଭାବି ଗିଳିବାକୁ ଲାଗିଲା। ଏପରି ସେ ଅନେକ ପିଠା ଗିଳିଦେଲା । ହେଲେ ଗୋଡ଼ି ଗୁଡ଼ିକ ଗରମ ଥିବାରୁ ଏବଂ ପେଟ ଭିତରକୁ ଯିବା ପରେ କଷ୍ଟ ହେବାରୁ ଅସୁର ଚିତ୍କାର କରି ଜଙ୍ଗଲ ଆଡ଼କୁ ଦୌଡ଼ିଲା। ପରବର୍ତ୍ତୀ ସମୟରେ, ପିଲାଟି ପୁଣି ଏକ ନୂଆ ଚାଲ୍ ଖେଳିଲା। ସେ ଗୋଟିଏ ଲୁହା କଣ୍ଟାକୁ ନିଆଁରେ ଗରମ କରି ନାଲି କରିଦେଲା । ଏହାପରେ ସେ ଅସୁର ପାଖକୁ ଯାଇ ତାକୁ ବୁଝାଇଲା ଉକ୍ତ ମଣ୍ଡା ଖାଇବାରୁ କଷ୍ଟହେଲା କାରଣ ଅସୁର ଏହାକୁ ବିନା ରସରେ ଖାଇଦେଲା । ତେଣୁ ବର୍ତ୍ତମାନ ଉକ୍ତ ଲାଲ ଗରମ କଣ୍ଟାକୁ ସେ ମଣ୍ଡାପିଠା ରସ୍ତ ବୋଲି ଅସୁରକୁ କହିଲା । ଏହାପରେ ନିର୍ବୋଧ ଅସୁର ସେହି କଣ୍ଟାକୁ ଜିଭରେ ଲଗାଇବା ମାତ୍ରେ ତାର ଜିଭ ପୋଡ଼ିଗଲା। ସେହିଦିନ ଠାରୁ ଅସୁରଟି ଗାଁ ଲୋକଙ୍କୁ ଆଉ ହଇରାଣ କଲା ନାହିଁ ଏବଂ ମଣ୍ଡା ପିଠା ନାମ ଶୁଣିଲେ ଭୟରେ ଦୂରକୁ ପଳାଇଲା। ଏହିଭଳି ଭାବେ ବୟସରେ ସାନ ହେଲେ ମଧ୍ୟ ନିଜ ବୁଦ୍ଧି ବଳରେ ସେ ଏତେ ବଡ ଅସୁରକୁ ମଧ୍ୟ ହରାଇ ଦେଇଥିଲା । ତେଣୁ ଶାରୀରିକ ବଳ ଅପେକ୍ଷା ବୁଦ୍ଧିର ବଳ ସବୁଠାରୁ ଶ୍ରେଷ୍ଠ ବୋଲି ଏହି ଗଳ୍ପ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ । ଚତୁରତା ଦ୍ୱାରା ବଡ଼ରୁ ବଡ଼ ବିପଦକୁ ମଧ୍ୟ ଟାଳି ଦିଆଯାଇପାରେ।



