ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ଇମ୍ରାନ ଖାନ୍‌

ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ଇମ୍ରାନ ଖାନ୍‌
Samaya Live Desk Picture
Published On

ଇସଲାମାବାଦ୍: ପାକିସ୍ତାନର ଆଦିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନାହିଁ। ଚିକିତ୍ସା ପାଇଁ ଆଜି ଇମ୍ରାନଙ୍କୁ ଜେଲ୍‌ରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ଇମ୍ରାନ ଅସୁସ୍ଥ ଥିବା ଖବର ପ୍ରଘଟ ହେବାପରେ ଦେଶବ୍ୟାପୀ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି। ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କର ଚିକିତ୍ସା କରାଇବା ଦାବିରେ ପାକିସ୍ତାନ ତେହେରିକ୍-ଏ-ଇନସାଫ(ପିଟିଆଇ)ର କର୍ମଚାରୀମାନେ ଇସଲାମାବାଦ, କରାଚୀ, ସ୍ବାବୀ ଓ ରାଵଲପିଣ୍ଡି ଭଳି ବିଭିନ୍ନ ସହରରେ ରାସ୍ତାରୋକ କରିଛନ୍ତି। ସରକାରଙ୍କ ବିରୋଧରେ ନାରାବାଜୀ ସହ ଇସଲାମାବାଦ୍, ରାଵଲପିଣ୍ଡିରେ ଟାୟାର ଜାଳି କର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଏହି ଘଟଣା ଉପରେ ସୁପ୍ରିମକୋର୍ଟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ, ଶେହବାଜ ସରିଫ ସରକାର ଇମ୍ରାନଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଇମ୍ରାନ ଖାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଛନ୍ତି। ରାୱଲପିଣ୍ଡିର ଅଲ୍ ଶିଫା ଚକ୍ଷୁ ହସ୍ପିଟାଲର ଡାକ୍ତର ମହମ୍ମଦ ଅମଜାଦ ଓ ଡାକ୍ତର ନଦୀମ କୁରେଶୀଙ୍କୁ ଏହି ଟିମରେ ସାମିଲ ଅଛନ୍ତି।  

ସୂଚନା ଅନୁଯାୟୀ, ଗତ ଅକ୍ଟୋବରରେ ଇମ୍ରାନ ଖାନଙ୍କ ଡାହାଣ ଆଖିରେ ସମସ୍ୟା ଦେଖାଦେଇଥିଲା। ସେ ଠିକ୍ ଭାବରେ ଦେଖିପାରୁନଥିଲେ, ତାଙ୍କୁ ସବୁକିଛି ଝାପ୍ସା ଝାପ୍ସା ଦେଖାଯାଉଥିଲା। କୁହାଯାଉଛି ଯେ ଜେଲରେ ଉଚ୍ଚ ରକ୍ତଚାପର ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ସମସ୍ୟା ଆହୁରି ବଢ଼ିଯାଇଛି। ତାଙ୍କର ରକ୍ତଚାପ କିଛି ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ରହିଥିଲା, କିନ୍ତୁ ତାଙ୍କ ଔଷଧରେ କୌଣସି ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ନଥିଲା। ନଭେମ୍ବରରେ ଦୃଷ୍ଟିଶକ୍ତି ହ୍ରାସ ଅଭିଯୋଗ କରିବା ସତ୍ତ୍ୱେ, ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇ ନଥିଲା। ପ୍ରଥମେ ତାଙ୍କୁ କେବଳ ଆଖି ଡ୍ରପ୍ ଦିଆଯାଇଥିଲା। ଇମ୍ରାନଙ୍କ ଡାହାଣ ଆଖିକୁ ଏବେ ମାତ୍ର ୧୫ ପ୍ରତିଶତ ଦେଖାଯାଉଛି।

Tags: