ରାହୁଲ ଗାନ୍ଧୀ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ନକରନ୍ତୁ

ରାହୁଲ ଗାନ୍ଧୀ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ନକରନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ଅରୁଣାଚଳ ପ୍ରଦେଶ ଗସ୍ତରେ ଥିବାବେଳେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିଛନ୍ତି। ସୋମବାର ରିଜିଜୁ ଭାରତ-ଚୀନ ସୀମାର ବୁମଲା ପାସ୍‌ ବୁଲି ଦେଖିଥିଲେ। ରିଜିଜୁ ଏହି ଅବସରରେ ଗଲୱାନ ଉପତ୍ୟକାରେ ସଂଘର୍ଷ କଥା ଉଠାଇ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସୀମା ପ୍ରସଙ୍ଗରେ କିଛି ଜାଣନ୍ତିନି। ସୀମା ସୁରକ୍ଷା ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବା ପୂର୍ବରୁ ତାଙ୍କର ଏ ସମ୍ପର୍କିତ ଜ୍ଞାନ ରହିବା ଉଚିତ। ସଂସଦରେ ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମଏମ ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀରୁ କିଛି ଅଂଶ ଉଦ୍ଧୃତ କରି ଗଲୱାନ ବିବାଦକୁ ସରକାର ଭୁଲ ଭାବରେ ପରିଚାଳନା କରିଥିଲେ ବୋଲି ଅଭିଯୋଗ କରିଥିଲେ। ଏହି ପୁସ୍ତକ ରାଜନୈତିକ ନେତୃତ୍ୱର ନିଷ୍କ୍ରିୟତାକୁ ସୂଚିତ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରବଣେଙ୍କୁ ତୁମେ ଯାହା ଠିକ୍ ବୋଲି ଭାବୁଛ ତାହା କର ବୋଲି କହିଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ। ସରକାର ଏହି ମନ୍ତବ୍ୟ ଏବଂ ପୁସ୍ତକର ବ୍ୟବହାର ଉପରେ କଡ଼ା ଆପତ୍ତି କରିଥିଲେ। ଏକ ଅପ୍ରକାଶିତ ପୁସ୍ତକରୁ ଉଦ୍ଧୃତି ସଂସଦୀୟ ନିୟମର ଉଲ୍ଲଂଘନ କରେ ଓ ଜାତୀୟ ସୁରକ୍ଷା ଓ ସ୍ୱାର୍ଥ ବିରୋଧରେ ହୋଇଥିବାରୁ ବାଚସ୍ପତି ଓମ୍‌ ବିର୍ଲା ରାହୁଲ ଗାନ୍ଧୀଙ୍କୁ ପୁସ୍ତକର ବିଷୟବସ୍ତୁ ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ।

ସମ୍ବନ୍ଧିତ ଖବର ଟ୍ରମ୍ପ-ନେତାନ୍ୟାହୁ ରୁଦ୍ଧଦ୍ବାର ବୈଠକ

ରିଜିଜୁ କହିଥିଲେ, ଏହି ମାମଲା ଜାତୀୟ ସୁରକ୍ଷା ସହିତ ଜଡିତ ଥିବାରୁ କଂଗ୍ରେସ ନେତା ଏହାର ରାଜନୀତିକରଣ କରିବାକୁ ଉଦ୍ୟମ କରିବା ଉଚିତ୍ ନଥିଲା। ଏକ ଗଣମାଧ୍ୟମ ସଂସ୍ଥାକୁ ରିଜିଜୁ କହିଛନ୍ତି, ଏକ ଅପ୍ରକାଶିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିବାର ଅର୍ଥ କ’ଣ? ଏହା ଜାତୀୟ ସୁରକ୍ଷାର ବିଷୟ ଏବଂ ଆମକୁ ଏହାକୁ ଗମ୍ଭୀରତାର ସହିତ ବିଚାର କରିବାକୁ ପଡିବ। ଦେଶର ସୁରକ୍ଷା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ଏବଂ ଏହାକୁ ରାଜନୈତିକ ପ୍ରସଙ୍ଗରେ ପରିଣତ କରାଯିବା ଉଚିତ୍ ନୁହେଁ।  

ସମ୍ବନ୍ଧିତ ଖବର ମୁର୍ଶିଦାବାଦରେ ୨୨ କିମି ବାବ୍ରି ଯାତ୍ରାର ନେତୃତ୍ୱ ନେଲେ କବୀର

Tags: