ମଣିଷଠୁ କ୍ଷିପ୍ର ଦୌଡୁଛି ରୋବଟ
ବିଶ୍ୱର ଦ୍ରୁତତମ ହ୍ୟୁମାନଏଡ୍ ରୋବଟ୍ ଭାବେ ଚୀନ୍ ଏବେ 'ବୋଲ୍ଟ'କୁ ଉନ୍ମୋଚିତ କରି ନୂତନ ଇତିହାସ ରଚିଛି, ଯାହା ସେକେଣ୍ଡ ପ୍ରତି ୧୦ ମିଟର ବେଗରେ ଦୌଡ଼ିବାର ଅସାଧାରଣ କ୍ଷମତା ରଖିଛି। ଏହି ରୋବଟ୍ ଏବଂ ଟେକ୍ ଉଦ୍ୟୋଗୀ ୱାଙ୍ଗ ହଙ୍ଗଟାଓଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେଡମିଲରେ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଯେତେବେଳେ ଟ୍ରେଡମିଲର ବେଗ ସେକେଣ୍ଡ ପ୍ରତି ୫ ମିଟର ଛୁଇଁଥିଲା, ସେତେବେଳେ ୱାଙ୍ଗ ସନ୍ତୁଳନ ହରାଇଥିଲେ, କିନ୍ତୁ ଅନ୍ୟପଟେ 'ବୋଲ୍ଟ' ନିଜର ଗତି ବଢ଼ାଇ ସେକେଣ୍ଡ ପ୍ରତି ୧୦ ମିଟର ବେଗରେ ଦୌଡି ପାରିଥିଲା । ଯାହାପରେ ବିଶ୍ୱର ଦ୍ରୁତତମ ରୋବଟ୍ର ମାନ୍ୟତା ଏହା ହାସଲ କରିଥିଲା। ଜେଜିଆଙ୍ଗ ବିଶ୍ୱବିଦ୍ୟାଳୟ ଏବଂ ଏକ ଟେକ୍ ଫାର୍ମର ମିଳିତ ସହଯୋଗରେ ନିର୍ମିତ ଏହି ରୋବଟ୍ର ନାମ ବିଶ୍ୱ ପ୍ରସିଦ୍ଧ ଦୌଡ଼ାଳି ଉସେନ୍ ବୋଲ୍ଟଙ୍କ ନାମରେ ରଖାଯାଇଛି । ଯାହାର ଉଚ୍ଚତା ୧.୭୫ ମିଟର ଏବଂ ଓଜନ ୭୫ କିଲୋଗ୍ରାମ ହୋଇଥିବା ବେଳେ ଏହାର ଶରୀର ମଧ୍ୟରେ ଅତ୍ୟାଧୁନିକ ବିସ୍ଫୋରକ ଶକ୍ତି ଏବଂ ଗତି ନିୟନ୍ତ୍ରଣ ପ୍ରଣାଳୀର ଅପଗ୍ରେଡ୍ କରାଯାଇଛି । ଏହା ଭବିଷ୍ୟତରେ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ପ୍ରଶିକ୍ଷଣ ସମୟରେ ଆସୁଥିବା ବାଧାବିଘ୍ନ ଦୂର କରିବାରେ ଏକ 'ବୁଦ୍ଧିମାନ ସହଯୋଗୀ' ଭାବେ କାର୍ଯ୍ୟ କରିବ ବୋଲି ଇଞ୍ଜିନିୟରମାନେ ଆଶା ପ୍ରକଟ କରିଛନ୍ତି।
Related Posts



