ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କ ରହସ୍ୟମୟ ନିଖୋଜ ଘଟଣା,ସହଯୋଗ କରୁ ନାହାନ୍ତି ବନ୍ଦର କର୍ତୃପକ୍ଷ
ଭୁବନେଶ୍ୱର : ଜାହାଜରୁ ଓଡ଼ିଆ କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ରହସ୍ୟମୟ ନିଖୋଜ ଘଟଣା,ପୁଅର ପତ୍ତା ଲଗାଇବାକୁ ସିଙ୍ଗାପୁର ଯାଇଛନ୍ତି ସାର୍ଥକଙ୍କ ମାମୁଁ ଏବଂ ମା' । ତେବେ ସେଠାରେ ତାଙ୍କୁ ନିରାଶ ହେବାକୁ ପଡିଛି । ତାଙ୍କୁ ତଦନ୍ତରେ ସହଯୋଗ କରୁ ନାହାନ୍ତି ଜାହାଜ କର୍ତ୍ତୃପକ୍ଷ । ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ତେବେ ସଂପୂର୍ଣ୍ଣ ଆଶା ହରାଇ ନାହାନ୍ତି । ଗତକାଲି ସିଙ୍ଗାପୁରରେ ସାର୍ଥକ ନିଖୋଜ ହୋଇଥିବା ଜହାଜ ପହଞ୍ଚିବା ପରେ ସେମାନଙ୍କୁ ଜାହାଜ ଭିତରକୁ ଯିବାକୁ ସୁଯୋଗ ମିଳିଥିଲା । ତେବେ କେବଳ ସାର୍ଥକଙ୍କ ଚାମ୍ବର ବୁଲି ଦେଖିବାକୁ ସେମାନଙ୍କୁ ଅନୁମତି ମିଳିଥିଲା । କିନ୍ତୁ କ୍ୟାବିନ ଭିତରେ ସାର୍ଥକଙ୍କ ସେଫଟି ଜ୍ୟାକେଟ ଓ ଜୋତା ନଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମାମୁ । ଏହି ତଥ୍ୟ ଘଟଣାକୁ ଆହୁରି ସନ୍ଦେହଜନକ କରିଛି ।
ଜାହାଜର ଆଇନଜୀବୀମାନେ ସମସ୍ତ କ୍ଷେତ୍ରରେ ତାଙ୍କୁ ବାରଣ କରିଥିଲେ । ତେବେ ଭାରତ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ସହଯୋଗ ମିଳିଛି । କିନ୍ତୁ ଦାବି ଅନୁଯାୟୀ ଡଗ୍ସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ ଏପର୍ଯ୍ୟନ୍ତ ହୋଇପାରିନଥିବା ସାର୍ଥକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାର୍ଥକ ନିଖୋଜ ନେଇ ଜାହାଜ କର୍ତ୍ତୃପକ୍ଷ ସଠିକ ଓ ସ୍ପଷ୍ଟ ତଥ୍ୟ ଦେଉନାହାନ୍ତି । ଏପଟେ ଡିଜି ସିପିଂର କ୍ୟାପଟେନ ରବି ସିଂ ଓ ବାଲୁଙ୍କେଶ୍ବର ମହାପାତ୍ର ଜାହାଜରେ ତଦନ୍ତ କରୁଛନ୍ତି ଓ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି ।
ସିଙ୍ଗାପୁରରେ ଆଜି ଭାରତୀୟ ହାଇକମିଶନରଙ୍କୁ ଭେଟିବେ ସାର୍ଥକଙ୍କ ମାଆ ଓ ମାମୁ । ତାଙ୍କ ସହ ଆଲୋଚନା ପରେ ହିଁ ସାର୍ଥକଙ୍କ ସର୍ଚ୍ଚ ଅପରେସନ କେଉଁ ଦିଗକୁ ଯିବ ତାହା ଜଣାପଡ଼ିବ । ଅନ୍ୟପଟେ ପରିବାର ଲୋକେ ସାର୍ଥକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି ।



