କ୍ୟାନ୍ସର ଟିକା

କ୍ୟାନ୍ସର ଟିକା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ସୁପର ଫୁଡ ମାଣ୍ଡିଆ

ସମ୍ବନ୍ଧିତ ଖବର ହୋମ ମେକ ଓଭର ଥେରାପି

କ୍ୟାନସର ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଆଜି ଏକ ନୂତନ ଯୁଗରେ ପହଞ୍ଚିଛି। ବିଶେଷ କରି କ୍ୟାନସର ଭ୍ୟାକ୍ସିନ ଏବଂ ପ୍ରାକୃତିକ ଜୈବବିବିଧତାର ବ୍ୟବହାର ଏହି ଦିଗରେ ଏକ ଆଶାର କିରଣ ସାଜିଛି ।

ସମ୍ବନ୍ଧିତ ଖବର ଚୁକ୍ତି ଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର

 

ବର୍ତ୍ତମାନର ଗବେଷଣା ଅନୁଯାୟୀ କ୍ୟାନସର ଭ୍ୟାକ୍ସିନ ଦୁଇ ପ୍ରକାରର ହୋଇଥାଏ। ପ୍ରଥମଟି ହେଉଛି 'ପ୍ରତିଷେଧକ' ଯାହା କ୍ୟାନସର ହେବା ପୂର୍ବରୁ ରୋକିଥାଏ  ।  ଦ୍ୱିତୀୟଟି ହେଉଛି 'ଚିକିତ୍ସାଭିତ୍ତିକ' ଯାହା ଶରୀରରେ ଥିବା କ୍ୟାନସର କୋଷକୁ ନଷ୍ଟ କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ତାଲିମ ଦେଇଥାଏ। ୨୦୨୬ ସୁଦ୍ଧା ଏମ୍ଆରଏନଏ ଟେକ୍ନୋଲୋଜି ମାଧ୍ୟମରେ ବ୍ୟକ୍ତିଗତ ଭ୍ୟାକ୍ସିନ ତିଆରି କରିବା ପାଇଁ ଅନେକ ସଫଳ ପରୀକ୍ଷଣ କରାଯାଇଛି।

ଋଷିଆ

ଋଷିଆବର୍ତ୍ତମାନ କ୍ୟାନସର ଟିକା ପ୍ରସ୍ତୁତିରେ ଏକ ବଡ଼ ସଫଳତା ପାଇଥିବା ଦାବି କରିଛି। ଏଠିକାର ବୈଜ୍ଞାନିକମାନେ ଏକ ନୂତନ 'mRNA କ୍ୟାନସର ଭ୍ୟାକ୍ସିନ' ପ୍ରସ୍ତୁତ କରିଛନ୍ତି। ଏହା ଶରୀରକୁ କ୍ୟାନସର କୋଷର ପ୍ରୋଟିନ୍କୁ ଚିହ୍ନିବା ଏବଂ ତାହାକୁ ଆକ୍ରମଣ କରିବା ପାଇଁ ସକ୍ଷମ କରିବ। ରୁଷିଆର ଗାମାଲେୟା ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ପ୍ରାଣୀମାନଙ୍କ ଉପରେ ଏହାର ପରୀକ୍ଷଣ ସଫଳ ହୋଇଛି ଏବଂ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ଟିକା ପ୍ରତ୍ୟେକ ରୋଗୀର ଟ୍ୟୁମରର ଜେନେଟିକ ପ୍ରୋଫାଇଲ୍ ଅନୁଯାୟୀ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା ଏହାର ପ୍ରଭାବ ଅଧିକ ରହିବ ବୋଲି ଦାବି ହୋଇଛି ।

ଶିମିଳିପାଳ ଜଙ୍ଗଲରରେ କ୍ୟାନସର ଚିକିତ୍ସା

ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଅଭୟାରଣ୍ୟ କେବଳ ବାଘମାନଙ୍କ ପାଇଁ ନୁହେଁ, ବରଂ ମୂଲ୍ୟବାନ ଜୈବବିବିଧତା ପାଇଁ ମଧ୍ୟ ପ୍ରସିଦ୍ଧ। ସାମ୍ପ୍ରତିକ ଗବେଷଣା ଏଠାରେ କ୍ୟାନସର ନିରୋଧୀ ତତ୍ତ୍ୱ ଥିବା ପ୍ରମାଣ ଦେଇଛି।  ବାରିପଦାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଶିମିଳିପାଳରେ ପ୍ରାୟ ୧୪୮ ପ୍ରକାରର ଲାଇକେନ୍ ଚିହ୍ନଟ କରିଛନ୍ତି। ଏହି ଲାଇକେନ୍ଗୁଡ଼ିକରେ କ୍ୟାନସର କୋଷକୁ ମାରିବାର କ୍ଷମତା ରହିଥିବା ଜଣାପଡ଼ିଛି। ଏଠାକାର ଗଛଲତା ଗୁଡ଼ିକରେ ପ୍ରଚୁର ପରିମାଣର ଆଣ୍ଟି-ଅକ୍ସିଡାଣ୍ଟ ଥାଏ, ଯାହା କୋଷ ଗୁଡ଼ିକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରି କ୍ୟାନସର ହେବାର ଆଶଙ୍କା କମାଇଥାଏ।

 ଜର୍ମାନୀ

କୋଭିଡ-୧୯ ଟିକା ପ୍ରସ୍ତୁତ କରିଥିବା ଜର୍ମାନୀର ବାୟୋଏନଟେକ କମ୍ପାନୀ ବର୍ତ୍ତମାନ କ୍ୟାନସର ଟିକା ଉପରେ ସବୁଠାରୁ ବଡ଼ ପ୍ରକଳ୍ପ ଚଳାଇଛି। ଏଠାରେ ପ୍ରତ୍ୟେକ ରୋଗୀର ଟ୍ୟୁମରରୁ ଜେନେଟିକ୍ ତଥ୍ୟ ସଂଗ୍ରହ କରି ସ୍ୱତନ୍ତ୍ର mRNA ଟିକା ତିଆରି କରାଯାଉଛି। ଅଗ୍ନ୍ୟାଶୟ କ୍ୟାନସର ଏବଂ ଚର୍ମ କ୍ୟାନସର ପାଇଁ ଏହି ଟିକା ପରୀକ୍ଷଣର ଶେଷ ପର୍ଯ୍ୟାୟରେ ଅଛି।

ଆମେରିକା

ଆମେରିକାରେ ମଡରେନା ଏବଂ ମର୍କ ମିଳିତ ଭାବେ କ୍ୟାନସର ଟିକା ଉପରେ କାମ କରୁଛନ୍ତି । ଏମ୍ଆରଏନଏ - ୪୧୫୭ (ଭି୯୪୦) ହେଉଛି ଏକ ପ୍ରମୁଖ କ୍ୟାନସର ଟିକା ଯାହା ମେଲାନୋମା ରୋଗୀଙ୍କ କ୍ଷେତ୍ରରେ କ୍ୟାନସର ଫେରିବା ସମ୍ଭାବନାକୁ ୪୪% କମାଇ ଦେଇଥିବା ଦେଖାଯାଇଛି। ସେହିଭଳି ଆମେରିକାର ଏମ୍ଡି ଆଣ୍ଡରେସନ କ୍ୟାନସର ସେଣ୍ଟର ଏପରି ଏକ ଟିକା ଉପରେ କାମ କରୁଛି ଯାହା କ୍ୟାନସର ହେବା ପୂର୍ବରୁ ତାହାକୁ ରୋକିବ।

ବ୍ରିଟେନ

ବ୍ରିଟେନ ସରକାର ସମଗ୍ର ବିଶ୍ୱରେ ଏକ ଅଭିନବ ପ୍ରକଳ୍ପ ଆରମ୍ଭ କରିଛନ୍ତି, ଯାହାକୁ କ୍ୟାନ୍ସର ଭ୍ୟାକସିନ ଲଞ୍ଚ ପ୍ୟାଡ କୁହାଯାଉଛି। ବ୍ରିଟେନର ନ୍ୟାସନାଲ ହେଲଥ୍ ସର୍ଭିସ ହଜାର ହଜାର କ୍ୟାନସର ରୋଗୀଙ୍କୁ ଏହି କ୍ଲିନିକାଲ ଟ୍ରାଏଲରେ ଅନ୍ତର୍ଭୁକ୍ତ କରୁଛି। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଲଙ୍ଗଭାକ୍ସ ନାମକ ଏକ ଟିକା ପ୍ରସ୍ତୁତ କରୁଛନ୍ତି, ଯାହା ବିଶେଷ କରି ଫୁସଫୁସ କ୍ୟାନସରକୁ ରୋକିବାରେ ସାହାଯ୍ୟ କରିବ।

କ୍ୟୁବା

କ୍ୟୁବା ବିଶ୍ୱର ପ୍ରଥମ ଦେଶ ଭାବରେ ଫୁସଫୁସ କ୍ୟାନସର ପାଇଁ ଏକ ସଫଳ ଟିକା CIMAvax-EGF ପ୍ରସ୍ତୁତ କରିସାରିଛି। ଏହି ଟିକା କ୍ୟାନସର କୋଷକୁ ମାରେ ନାହିଁ, ବରଂ ଶରୀରରେ ଥିବା ଏକ ପ୍ରୋଟିନ୍କୁ ବ୍ଲକ୍ କରିଦିଏ, ଯାହା ଦ୍ୱାରା କ୍ୟାନସର କୋଷ ବଢ଼ିବା ପାଇଁ ଖାଦ୍ୟ ପାଏ ନାହିଁ ଏବଂ ଶୁଖିଯାଏ।

 ଚୀନ

ଚୀନ ମଧ୍ୟ ଏହି ଦୌଡ଼ରେ ପଛରେ ନାହିଁ। ଚୀନରେ କ୍ୟାନସର ଟିକା ଉପରେ ହେଉଥିବା ଗବେଷଣାର ସଂଖ୍ୟା ବହୁତ ଅଧିକ। ଚୀନ ବିଶେଷ କରି ପାକସ୍ଥଳୀ  ଏବଂ ଯକୃତ କ୍ୟାନସର ଟିକା ଉପରେ ଗୁରୁତ୍ୱ ଦେଉଛି, କାରଣ ସେଠାରେ ଏହି ରୋଗୀଙ୍କ ସଂଖ୍ୟା ଅଧିକ।

Tags: