ବିଶିଷ୍ଟ ଜ୍ୟୋତିଷ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ
ଭୁବନେଶ୍ୱର : ବିଶିଷ୍ଟ ଭୃଗୁ ଜ୍ଯୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ । ଆଜି ସକାଳେ ଛାତିରେ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ବୟସ ହୋଇଥିଲା । ହସ୍ପିଟାଲରେ ତାଙ୍କ ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ ।
ଭୁବନେଶ୍ବରରେ ଭୃଗୁ ଜ୍ଯୋତିଷର ପ୍ରଚାର ପ୍ରସାର କ୍ଷେତ୍ରରେ ସେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଗତ ୧୮ ବର୍ଷ ଧରି ଭୁବନେଶ୍ବରରେ ଏସୀୟ ଜ୍ଯୋତିଷ ସମ୍ମିଳନୀ ଆୟୋଜନ କରିଆସୁଥିଲେ । ଭୃଗୁ କଲେଜ ଅଫ ଆଷ୍ଟ୍ରୋଲଜି ମଧ୍ୟ ପ୍ରତିଷ୍ଠା କରିବା ସହ ସେ ବିଭିନ୍ନ ଟିଭି ଓ ଖବରକାଗଜରେ ବାର୍ଷିକ ରାଶିଫଳ, ଗ୍ରହଚଳନ ବିଷୟରେ ଆଲୋଚନା ମାଧ୍ୟମରେ ପରାମର୍ଶ ଦେଉଥିଲେ । ସ୍ବର୍ଗତ ଆଚାର୍ଯ୍ୟଙ୍କ ଘର କଟକ ଜିଲ୍ଲାର ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ହୋଇଥିବାବେଳେ ସେ ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ସ୍ଥାୟୀ ଭାବରେ ରହୁଥିଲେ ।



