ମହାଶିବରାତ୍ରି
ଓଡ଼ିଶାର ସାଂସ୍କୃତିକ ଏବଂ ଧାର୍ମିକ ଜୀବନଧାରାରେ ମହାଶିବରାତ୍ରି ବା ଜାଗର ମେଳା ଏକ ପ୍ରମୁଖ ପର୍ବ। ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏହା ପାଳିତ ହୋଇଥାଏ। ମହାଶିବରାତ୍ରି ପାଳନ ପଛରେ ଅନେକ ପୌରାଣିକ ଆଖ୍ୟାୟିକା ରହିଛି । ବିଶ୍ୱାସ କରାଯାଏ ଯେ, ଏହି ଦିନ ଦେବାଧିଦେବ ମହାଦେବ ଏବଂ ମାତା ପାର୍ବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପୁରାଣ ଅନୁଯାୟୀ, ବ୍ରହ୍ମା ଏବଂ ବିଷ୍ଣୁଙ୍କ ମଧ୍ୟରେ ଶ୍ରେଷ୍ଠତ୍ୱକୁ ନେଇ ବିବାଦ ଦେଖାଦେବା ପରେ, ଭଗବାନ ଶିବ ଏକ ଅନନ୍ତ ଅଗ୍ନି ସ୍ତମ୍ଭ (ଲିଙ୍ଗ) ରୂପରେ ଆବିର୍ଭୂତ ହୋଇଥିଲେ। ଯେହେତୁ ଶିବ ଏହି ରାତିରେ ପ୍ରକଟ ହୋଇଥିଲେ, ତେଣୁ ଏହାକୁ ଶିବରାତ୍ରି କୁହାଯାଏ । ସେହିଭଳି ଆଉଏକ ବ୍ୟାଖାନ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ଭୟଙ୍କର 'ହଳାହଳ' ବିଷକୁ ପାନ କରି ଶିବ ସୃଷ୍ଟିକୁ ରକ୍ଷା କରିଥିଲେ । ତାଙ୍କ କଣ୍ଠ ନୀଳ ପଡ଼ିଯାଇଥିବାରୁ ସେ 'ନୀଳକଣ୍ଠ' ଭାବେ ପରିଚିତ । ସେହି ବିଷର ଜ୍ୱାଳାରୁ ଶାନ୍ତି ପାଇବା ପାଇଁ ସେ ସାରା ରାତି ଅନିଦ୍ରା ରହିଥିଲେ, ଯାହାକୁ ଭକ୍ତମାନେ ଜାଗର ରୂପେ ପାଳନ କରନ୍ତି ।
ଓଡ଼ିଶାରେ ପାଳନର ପରମ୍ପରା
ଓଡ଼ିଶାରେ "ଶୈବ ଧର୍ମ"ର ପ୍ରଭାବ ଅତି ପ୍ରାଚୀନ । ଏଠାରେ ପ୍ରତିଟି ଗାଁରେ ଏକ ଶିବ ମନ୍ଦିର ଦେଖିବାକୁ ମିଳେ। ଓଡ଼ିଆ ଘରର ମହିଳା ଓ ପୁରୁଷମାନେ ଏହିଦିନ ନିର୍ଜଳା ଉପବାସ ରଖନ୍ତି । ସକାଳୁ ସ୍ନାନ ସାରି ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ, କ୍ଷୀର, ବେଲପତ୍ର ଏବଂ ପଞ୍ଚାମୃତ ଅର୍ପଣ କରନ୍ତି । ମନ୍ଦିର ମାନଙ୍କରେ ଭଜନ, କୀର୍ତ୍ତନ ଏବଂ ଶିବ ପୁରାଣ ପାଠରେ ପରିବେଶ ମୁଖରିତ ହୋଇଉଠେ। ଲୋକମାନେ ନିଜ ନିଜ ମାନସିକ ପୂରଣ ପାଇଁ ମନ୍ଦିର ପ୍ରାଙ୍ଗଣରେ ଦୀପ ଜାଳନ୍ତି ।
ମହାଦୀପ
ମହାଶିବରାତ୍ରିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ପର୍ଯ୍ୟାୟ ହେଉଛି "ମହାଦୀପ" ଉଠିବା । ମହାଦୀପ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ ଏବଂ ଅଜ୍ଞାନତା ଉପରେ ଜ୍ଞାନର ପ୍ରତୀକ। ଶିବରାତ୍ରି ଦିନ ରାତି ସମୟରେ ମନ୍ଦିରର ଶିଖରକୁ ଏକ ବିରାଟ ଦୀପ ନିଆଯାଏ, ଯାହାକୁ ମହାଦୀପ କୁହାଯାଇଥାଏ । ଭକ୍ତମାନେ ଏହି ମହାଦୀପକୁ ଦର୍ଶନ କରିବା ପାଇଁ ଚାହିଁ ରହିଥାନ୍ତି। ବିଶ୍ୱାସ ରହିଛି ଯେ ମହାଦୀପ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ। ମହାଦୀପ ଉଠିବା ପରେ ହିଁ ବ୍ରତଧାରୀମାନେ ନିଜର ଉପବାସ ଭାଙ୍ଗନ୍ତି ।



