ସୁସ୍ଥ ଅଭ୍ୟାସ
ସୁସ୍ଥ ଏବଂ ନିରୋଗ ରହିବା ପାଇଁ କେବଳ ପୁଷ୍ଟିକର ଖାଦ୍ୟ ଯଥେଷ୍ଟ ନୁହେଁ, ବରଂ ଦୈନନ୍ଦିନ ଜୀବନରେ ସଠିକ୍ ସ୍ୱଚ୍ଛତା ବା 'ହାଇଜିନ୍' ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ମୋବାଇଲ୍ ଠାରୁ ଆରମ୍ଭ କରି ବାସନମଜା ସ୍ପଞ୍ଜ ପର୍ଯ୍ୟନ୍ତ ଅନେକ ଜିନିଷ ଟଏଲେଟ୍ ସିଟ୍ଠାରୁ ବି ଅଧିକ ଅପରିଷ୍କାର ହୋଇଥାଏ। ତେଣୁ ଏହି ସବୁ ଜୀବାଣୁଙ୍କ କବଳରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ଅଭ୍ୟାସଗୁଡ଼ିକୁ ଆପଣାନ୍ତୁ:
ଗ୍ୟାଜେଟର ନିୟମିତ ସଫେଇ
ଆମର ସ୍ମାର୍ଟଫୋନ୍, ଟିଭି ରିମୋଟ୍ ଏବଂ କି-ବୋର୍ଡ ଜୀବାଣୁଙ୍କର ସବୁଠାରୁ ବଡ଼ ଆଡ୍ଡା। ତେଣୁ ପ୍ରତିଦିନ ଅତିକମରେ ଥରେ ଏକ ନରମ କପଡ଼ା ଏବଂ ୭୦% ଆଇସୋପ୍ରୋପାଇଲ୍ ଆଲକୋହଲ୍ ୱାଇପ୍ସ ବ୍ୟବହାର କରି ମୋବାଇଲ୍ ଏବଂ ରିମୋଟ୍ ସଫା କରନ୍ତୁ। ସେହିଭଳି ଖାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ ଏବଂ ଶୌଚାଳୟକୁ ଫୋନ୍ ନେବା ଅଭ୍ୟାସ ତ୍ୟାଗ କରନ୍ତୁ ।

ରୋଷେଇ ଘରର ସ୍ୱଚ୍ଛତା
କିଚେନ୍ ସ୍ପଞ୍ଜ ଏବଂ କଟିଂ ବୋର୍ଡରୁ ସବୁଠାରୁ ଅଧିକ ସଂକ୍ରମଣ ବ୍ୟାପିଥାଏ। ତେଣୁ ରୋଷେଇ ଘରେ ବ୍ୟବହୃତ ସ୍ପଞ୍ଜ କିମ୍ବା କପଡ଼ାକୁ ପ୍ରତି ସପ୍ତାହରେ ବଦଳାନ୍ତୁ। ଏହାକୁ ବ୍ୟବହାର କରିବା ପରେ ଗରମ ପାଣିରେ ଧୋଇ ଶୁଖାଇ ରଖନ୍ତୁ। ପନିପରିବା ଏବଂ ମାଂସ କାଟିବା ପାଇଁ ପୃଥକ ପୃଥକ ବୋର୍ଡ ବ୍ୟବହାର କରନ୍ତୁ। ବ୍ୟବହାର ପରେ ଏହାକୁ ଗରମ ପାଣି ଏବଂ ସାବୁନରେ ଭଲଭାବେ ସଫା କରନ୍ତୁ।
ହାତ ଧୋଇବାର ସଠିକ୍ ପ୍ରଣାଳୀ
ଜୀବାଣୁ ଆମ ଶରୀରକୁ ମୁଖ୍ୟତଃ ଆମ ହାତ ଜରିଆରେ ପ୍ରବେଶ କରିଥାନ୍ତି। ବାହାରୁ ଆସିବା ପରେ, ଖାଇବା ପୂର୍ବରୁ, ପୋଷା ଜୀବଙ୍କୁ ଛୁଇଁବା ପରେ ଏବଂ ଟଏଲେଟ୍ ବ୍ୟବହାର ପରେ ହାତକୁ ଅତିକମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ଭଲଭାବେ ଧୁଅନ୍ତୁ। ଯଦି ପାଣି ଏବଂ ସାବୁନ ଉପଲବ୍ଧ ନାହିଁ, ତେବେ ଆଲକୋହଲ୍ ଯୁକ୍ତ ସାନିଟାଇଜର ବ୍ୟବହାର କରନ୍ତୁ।
ଶୋଇବା ଘରର ପରିମଳ
ତକିଆ କଭର୍ ଏବଂ ବେଡ୍ସିଟ୍ରେ ଜମା ହେଉଥିବା ଡେଡ୍ ସ୍କିନ୍ କୋଷ ଜୀବାଣୁ ବଢ଼ିବାରେ ସାହାଯ୍ୟ କରେ। ପ୍ରତି ସପ୍ତାହରେ ଅତିକମରେ ଥରେ ବେଡ୍ସିଟ୍ ଏବଂ ତକିଆ କଭର୍ ବଦଳାନ୍ତୁ। ଏହାକୁ ଗରମ ପାଣିରେ ଧୋଇଲେ ଜୀବାଣୁ ମରିଯାଆନ୍ତି। ସମୟ ସମୟରେ ତକିଆ ଏବଂ ଗଦିକୁ ଖରାରେ ଶୁଖାନ୍ତୁ, ଯାହାଦ୍ୱାରା ଆର୍ଦ୍ରତା ଦୂର ହେବ ଏବଂ ଫଙ୍ଗସ୍ ହେବ ନାହିଁ ।

ବ୍ୟକ୍ତିଗତ ଜିନିଷର ସୁରକ୍ଷା
ଟୁଥ୍ବ୍ରଶ୍ ଏବଂ ଟାୱେଲ୍ ଭଳି ଜିନିଷରୁ ମଧ୍ୟ ସଂକ୍ରମଣ ହୋଇଥାଏ। ପ୍ରତି ୩ ମାସରେ ଥରେ ନିଜର ଟୁଥ୍ବ୍ରଶ୍ ବଦଳାନ୍ତୁ। ଯଦି ଆପଣଙ୍କୁ ଜ୍ୱର କିମ୍ବା ଥଣ୍ଡା ହୋଇଥିଲା, ତେବେ ସୁସ୍ଥ ହେବା ପରେ ତୁରନ୍ତ ବ୍ରଶ୍ ବଦଳାଇ ଦିଅନ୍ତୁ।ଟୁଥ୍ବ୍ରଶ୍କୁ କେବେବି ଟଏଲେଟ୍ କମୋଡ୍ ପାଖରେ ଖୋଲା ରଖନ୍ତୁ ନାହିଁ। ସବୁବେଳେ ଶୌଚାଳୟ ଠାରୁ ଏହାକୁ ଦୂରରେ ରଖନ୍ତୁ ।
ବାରମ୍ବାର ସ୍ପର୍ଶ ହେଉଥିବା ସ୍ଥାନ ସଫା ରଖନ୍ତୁ
କବାଟ ହ୍ୟାଣ୍ଡେଲ ସୁଇଚ ବୋର୍ଡ ଏବଂ ପାଣି କଳକୁ ସଫା କରିବାକୁ ଭୁଲନ୍ତୁ ନାହିଁ। ଘରର ଏହି ସାଧାରଣ ସ୍ଥାନଗୁଡ଼ିକୁ କୌଣସି ଭଲ କ୍ଲିନର୍ କିମ୍ବା ଡିସଇନ୍ଫେକ୍ଟାଣ୍ଟ ସ୍ପ୍ରେ ସାହାଯ୍ୟରେ ନିୟମିତ ପୋଛନ୍ତୁ।
ପୋଷା ଜୀବଙ୍କ ସ୍ୱଚ୍ଛତା
ଯଦି ଆପଣଙ୍କ ଘରେ କୁକୁର କିମ୍ବା ବିଲେଇ ଅଛନ୍ତି, ତେବେ ସେମାନଙ୍କ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଜାଗ ରୁହନ୍ତୁ।ପ୍ରତିଦିନ ସେମାନଙ୍କ ଖାଦ୍ୟ ପାତ୍ରକୁ ସାବୁନରେ ଧୁଅନ୍ତୁ। ସେମାନଙ୍କୁ ନିୟମିତ ସ୍ନାନ କରାନ୍ତୁ ଏବଂ ପରାମର୍ଶ ଅନୁଯାୟୀ ଟୀକାକରଣ କରାନ୍ତୁ।
ଅଫିସ୍ ଏବଂ ବାହାର ସ୍ଥାନରେ ସତର୍କତା
ଅଫିସ୍ ଡେସ୍କ ଏବଂ ସେୟାର୍ଡ କମ୍ପ୍ୟୁଟର ଜୀବାଣୁଙ୍କର ବାହକ ହୋଇଥାଏ। ଅଫିସ୍ ଟେବୁଲ୍ରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜର ଡେସ୍କ ଓ ମାଉସ୍କୁ ନିଜେ ସଫା ରଖିବାକୁ ଚେଷ୍ଟା କରନ୍ତୁ ।



