ନେକ୍ସଷ୍ଟ ଷ୍ଟାର ସୂର୍ଯ୍ୟବଂଶୀ
ନିକଟରେ ସରିଥିବା ଅଣ୍ଡର ୧୯ ବିଶ୍ବକପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନ ସମସ୍ତ ଖେଳପ୍ରେମୀଙ୍କୁ ଆଚମ୍ଭିତ କରିଥିଲା । ସବୁସ୍ଥାନରେ ବୈଭବଙ୍କ ପ୍ରଶଂସା ଦେଖିବାକୁ ମିଳିଥିଲା । ସମୀକ୍ଷକଙ୍କ ମତରେ ଆଗକୁ ବୈଭବ ଭାରତୀୟ କ୍ରିକେଟର ସୁପରଷ୍ଟାର ଭାବେ ଉଭା ହେବେ ।
ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳିଭାବେ ଉଭା ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଯାହାଙ୍କ ଜୀବନ କାହାଣୀ ବେଶ ପ୍ରେରଣାଦାୟୀ। ୨୦୧୧ ମସିହା ମାର୍ଚ୍ଚ ୨୭ ତାରିଖରେ ବିହାରର ସମସ୍ତିପୁର ଜିଲ୍ଲାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିବା ବୈଭବଙ୍କ କ୍ରିକେଟ ଯାତ୍ରା ମାତ୍ର ଚାରି ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ତାଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ତାଙ୍କ ଭିତରେ ଥିବା ଅସାଧାରଣ ପ୍ରତିଭାକୁ ପିଲାଦିନରୁ ହିଁ ଚିହ୍ନି ପାରିଥିଲେ । ଜଣେ ମଧ୍ୟବିତ୍ତ ପରିବାରର ପିଲା ହୋଇଥିଲେ ମଧ୍ୟ ସୁବିଧା ସୁଯୋଗର ଅଭାବ ତାଙ୍କ ବାଟ ଓଗାଳି ପାରିନଥିଲା । ସେ ନିଜ ଗାଁରୁ ପ୍ରାୟ ୫୦ କିଲୋମିଟର ଦୂର ସମସ୍ତିପୁର ସହରକୁ ପ୍ରତିଦିନ ଅଭ୍ୟାସ ପାଇଁ ଯାଉଥିଲେ ଏବଂ ତାଙ୍କ ପିତା ନିଜେ ଏକ ଛୋଟ ପଡ଼ିଆ ପ୍ରସ୍ତୁତ କରି ତାଙ୍କୁ ବ୍ୟାଟିଂ ଶିଖାଉଥିଲେ । ସେ ମାତ୍ର ୧୨ ବର୍ଷ ବୟସରେ ବିହାରର ରଞ୍ଜି ଦଳରେ ସ୍ଥାନ ପାଇ ଆଧୁନିକ କ୍ରିକେଟ ଇତିହାସର ସର୍ବକନିଷ୍ଠ ପ୍ରଥମ ଶ୍ରେଣୀ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କୁ ପ୍ରକୃତ ସଫଳତା ମିଳିଥିଲା ୨୦୨୫ ଆଇପିଏଲ୍ ନିଲାମରେ, ଯେଉଁଠାରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧ କୋଟି ଟଙ୍କାରେ କିଣି ସମସ୍ତଙ୍କୁ ଚକିତ କରିଦେଇଥିଲା ଏବଂ ସେ ଲିଗ୍ ଇତିହାସର ସର୍ବକନିଷ୍ଠ କୋଟିପତି ଖେଳାଳି ପାଲଟିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ସେ ଚଢିବାକୁ ଲାଗିଲେ । ନିକଟରେ ସରିଥିବା ୨୦୨୬ ଅଣ୍ଡର-୧୯ ବିଶ୍ୱକପ୍ରେ ତାଙ୍କର ପ୍ରଦର୍ଶନ ଅବିଶ୍ୱସନୀୟ ରହିଥିଲା। ଏଠାରେ ସେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମାତ୍ର ୮୦ ବଲରୁ ୧୭୫ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳି ଭାରତକୁ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ମ୍ୟାଚରେ ସେ ୧୫ଟି ଛକା ମାରି ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡ ମଧ୍ୟ ନିଜ ନାମରେ କରିଥିଲେ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ତାଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଉଛି ଏବଂ ସେ ଭାରତୀୟ କ୍ରିକେଟର ଭବିଷ୍ୟତ ତାରକା ଭାବେ ଉଭା ହୋଇଛନ୍ତି । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ଏବଂ ମାନସିକ ଦୃଢ଼ତା ଦେଖି ଅନେକ କ୍ରିକେଟ ବିଶେଷଜ୍ଞ ତାଙ୍କୁ 'ଭବିଷ୍ୟତର ସୁପରଷ୍ଟାର' ବୋଲି କହୁଛନ୍ତି । ଏହି ଅଳ୍ପ ବୟସରେ ସେ ସଫଳତାର ଯେଉଁ ଶିଖର ଛୁଇଁଛନ୍ତି, ତାହା କେବଳ ତାଙ୍କର ନିରନ୍ତର ସାଧନା ଓ ପରିବାରର ସମର୍ଥନ ଯୋଗୁଁ ସମ୍ଭବ ହୋଇପାରିଛି, ଯାହା ଆଜିର ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା ।



