ଭକ୍ତକବି ମଧୁସୂଦନ ରାଓ

ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

ଭକ୍ତକବି ମଧୁସୂଦନ ରାଓ
Ipsita Picture
By: Ipsita


 
ଜଣେ ଓଡ଼ିଆ କବି, ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଓ ଓଡ଼ିଆ ଭାଷାର ପ୍ରଥମ ବର୍ଣ୍ଣବୋଧର ପ୍ରଣେତା ଭାବେ ପରିଚିତ ଭକ୍ତକବି ମଧୁସୂଦନ ରାଓ । ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତି୍ୟକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ । ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ୧୮୫୩ ମସିହା ଜାନୁଆରୀ ୨୯ରେ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମଧୁସୂଦନ ରାଓ । ପୁରୀରେ ହିଁ ତାଙ୍କର ଲାଳନ ପାଳନ ସହିତ ପାଠପଢାର ଆରମ୍ଭ ହୋଇଥିଲା । ୧୮୬୬ ମସିହାରେ ପଡ଼ିଥିଲା ନ'ଅଙ୍କ ଦୁର୍ଭିକ୍ଷ । ସେହି ସମୟରେ ମଧୁସୂଦନ ପୁରୀ ଜିଲ୍ଲାସ୍କୁଲରେ ପାଠ ପଢୁଥିଲେ । ଶହଶହ ଶବ ଓ ନରକଙ୍କାଳ ଦେଖି ବାଳକ ମଧୁସୂଦନଙ୍କ ତରଳପ୍ରାଣ ଛଟପଟ ହୋଇଥିଲା । ସେ ସମୟର ପୁରୀର ମହନ୍ତ ନାରାୟଣ ଦାସଙ୍କ ଅନୁରୋଧ କ୍ରମେ ପୁରୀର ମାଜିଷ୍ଟ୍ରେଟ ଦୁର୍ଭିକ୍ଷ ପ୍ରପୀଡିତଙ୍କୁ ଚାଉଳ ବାଣ୍ଟିବା ପାଇଁ ମଧୁସୂଦନଙ୍କ ଉପରେ ଦାୟିତ୍ୱ ଦେଇଥିଲେ । ବାଳକ ମଧୁସୂଦନ ଆନନ୍ଦର ସହିତ ଏହି ଗୁରୁଦାୟିତ୍ୱ ବହନ କରି ସଂଚାଳନ କଲେ । ତାଙ୍କର ବୃତ୍ତି ଜୀବନ ଶିକ୍ଷକତାରୁ ଆରମ୍ଭ ହୋଇଥିଲା ଯେଉଁଠାରେ ସେ ସାହିତ୍ୟ ସାଧନା ଆରମ୍ଭ କରିଥିଲେ । ମଧୁସୂଦନ ରାଓଙ୍କ ରଚନା ଖୁବ ସରଳ ଓ ସୁବୋଧ୍ୟ ଓଡ଼ିଆ । ସେ ଓଡ଼ିଆ ଭାଷାରେ ପ୍ରଥମ ବର୍ଣ୍ଣବୋଧ ରଚନା କରିଥିଲେ ଯାହା ମଧୁ ବର୍ଣ୍ଣବୋଧ ନାମରେ ଜଣା । ତାଙ୍କର ମଧୁର ରଚନା ଲାଗି ତାଙ୍କୁ ଭକ୍ତକବି ବୋଲି ସମ୍ବୋଧନ କରାଯାଇଥାଏ । ତାଙ୍କ ରଚନା ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତି ଆଜି ବି ତାଙ୍କୁ ପାଠକ ମହଲରେ ଆଦୃତ କରି ରଖିଛି । ଏହି ମହାନ କବିଙ୍କର ୧୯୧୨ ଡିସେମ୍ବର ୨୮ ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ଅବର୍ତ୍ତମାନରେ ଓଡିଆ ସାହିତ୍ୟ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଥିଲା ।

ସମ୍ବନ୍ଧିତ ଖବର ବିଶ୍ୱ ହିନ୍ଦୀ ଦିବସ

Tags:

Related Posts