ଖେମିନିଙ୍କ ମୃତ୍ୟୁର ୪୮ ଘଣ୍ଟା ପରେ ମଧ୍ୟ ମୃତଦେହର କୌଣସି ଫଟୋ ନାହିଁ: ବଢ଼ୁଛି ସସ୍ପେନ୍ସ
ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁର ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ତାଙ୍କ ମୃତଦେହକୁ ନେଇ ସାରା ବିଶ୍ୱରେ ସସପେନ୍ସ ଜାରି ରହିଛି। ଶନିବାର ହୋଇଥିବା ଭୟଙ୍କର ଆକ୍ରମଣ ପରଠାରୁ, ତାଙ୍କ ମୃତଦେହର କୌଣସି ସରକାରୀ ଫଟୋ ପ୍ରକାଶ କରାଯାଇ ନାହିଁ କିମ୍ବା ଅନ୍ତିମ ସଂସ୍କାର ବିଷୟରେ ଇରାନ କିଛି ସ୍ପଷ୍ଟ କରିନାହିଁ। ଭଗ୍ନାବଶେଷରୁ ବାହାର କରାଯାଇଥିବା ତାଙ୍କ ମୃତଦେହର ଶେଷ ଝଲକ କେବଳ ଡୋନାଲ୍ଡ ଟ୍ରମ୍ପ ଏବଂ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଡିଜିଟାଲ୍ ମାଧ୍ୟମରେ ଦେଖାଯାଇଥିଲା। ଯୁଦ୍ଧର ଏହି ପରିବେଶରେ, ଖେମିନିଙ୍କ ମୃତଦେହର ରହସ୍ୟ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ସବୁଠାରୁ ବଡ଼ ଆଲୋଚନାର ବିଷୟ ପାଲଟିଛି। ଫେବ୍ରୁଆରି ୨୮ ତାରିଖରେ, ଇସ୍ରାଏଲ ଓ ଆମେରିକା ଗୁଇନ୍ଦା ବିଭାଗ ଏକ ମିଳିତ ଅଭିଯାନରେ ଖେମିନିଙ୍କ ସରକାରୀ ବାସଭବନକୁ ଟାର୍ଗେଟ କରାଯାଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖେମିନି ତାଙ୍କ ଘନିଷ୍ଠ ବିଶ୍ୱସ୍ତ, ରିଭଲ୍ୟୁସନରୀ ଗାର୍ଡ ମୁଖ୍ୟ ମହମ୍ମଦ ପାକପୁର ଏବଂ ସୁରକ୍ଷା ପରାମର୍ଶଦାତା ଅଲି ଶାମଖାନିଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ସମୟରେ ବୋମା ବିସ୍ଫୋରଣ ଘଟିଥିଲା। ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କମ୍ପ୍ଲେକ୍ସ ଧ୍ୱଂସାବଶେଷରେ ପରିଣତ ହୋଇଗଲା ଏବଂ ୮୬ ବର୍ଷୀୟ ଖାମେନିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।



