ମଧ୍ୟପ୍ରାଚ୍ୟ ମହାଯୁଦ୍ଧ : ଇରାନ ଆକ୍ରମଣରେ ୟୁଏଇରେ ୩ ଜଣଙ୍କ ମୃତ୍ୟୁ, ୬୮ ଆହତ
ରିୟାଦ: ମଧ୍ୟପ୍ରାଚ୍ୟ ସଙ୍କଟ ଅତି ଭୟଙ୍କର ରୂପ ନେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣର ଜବାବ ଦେଇ ଇରାନ ବିଭିନ୍ନ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଗୁଡ଼ିକରେ ଆମେରିକାର ସାମରିକ ଘାଟିକୂ ଟାର୍ଗେଟ୍ କରି ଆକ୍ରମଣ କରୁଥିବାରୁ ପରିସ୍ଥିତି ବଡ଼ ଜଟିଳ ରୂପ ନେଇଛି। ଇରାନ ଆକ୍ରମଣରେ ୟୁଏଇରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬୮ ଜଣ ଆହତ ହୋଇଛନ୍ତି ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ୟୁଏଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଦେଶକୁ ୧୮୬ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବାବେଳେ ଏଥିମଧ୍ୟରୁ ୧୭୨ଟିକୁ ଧ୍ବଂସ କରାଯାଇଛି ଏବଂ ଆଉ ୧୩ଟି ସମୁଦ୍ରରେ ପଡ଼ିଛି। ଗୋଟିଏ କ୍ଷେପଣାସ୍ତ୍ର ଭୂମିରେ ପଡ଼ିଥିବା ୟୁଏଇ କହିଛି। ୟୁଏଇର ଫୁଜେରା ଅଏଲ ଜୋନ୍ରେ ନିଆଁ ଲାଗି ଯାଇଛି। ଇରାନର ଏକ ଡ୍ରୋନ ଖସାଗଲା ବେଳେ ଏହାର ଭଗ୍ନାବଶେଷ ଏଠାରେ ପଡ଼ିଥିଲା। ଫଳରେ ଏଥିରୁ ନିଆଁ ଲାଗି ଯାଇଥିଲା। ତେବେ ନିଆଁକୁ ସଙ୍ଗେସଙ୍ଗେ ନିୟନ୍ତ୍ରଣ କରାଯାଇଥିବା କୁହାଯାଇଛି। ତେବେ ଯୁଦ୍ଧ ଯୋଗୁ ଇରାନରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଇସ୍ରାଏଲରେ ୯ ଜଣ ଏବଂ ଆମେରିକାରେ ୪ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି।



