ଏଆଇ କରୁଛି ସହଜ

ଏଆଇ କରୁଛି ସହଜ
Ipsita Picture
By: Ipsita

 

ଆଜିକାଲିର ଯୁଗରେ ଏଆଇକୁ ବ୍ୟବହାର କରି ଏଭଳି ଅନେକ ପ୍ରୋଜେକ୍ଟ ଲଞ୍ଚ କରାଯାଉଛି, ଯାହା ଆମର ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାକୁ ସମାଧାନ କରୁଛି । ଆସନ୍ତୁ ସେହିଭଳି କିଛି ପ୍ରୋଜେକ୍ଟ ସମ୍ପର୍କରେ ଜାଣିବା ଯାହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ଏଗୁଡିକ ଛୋଟହେଲେ ମଧ୍ୟ ଦୈନନ୍ଦିନ ଜୀବନରେ ଖୁବ କାମରେ ଆସୁଛି । 

ହେରିଟେଜ ଲେନ୍ସ

ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ରୁମି ଦରୱାଜା ଭଳି ଐତିହାସିକ ସ୍ଥଳ ପରିଦର୍ଶନ ସମୟରେ ପର୍ଯ୍ୟଟକମାନେ କେବଳ ଫଟୋ ନୁହେଁ ବରଂ ସେହି ସ୍ଥାନର ଇତିହାସ ଜାଣିବା ପାଇଁ ଏବେ ହେରିଟେଜ ଲେନ୍ସ ନାମକ ଏକ ଅଭିନବ ଏଆଇ ଆଧାରିତ ମୋବାଇଲ୍ ଆପ୍ ବ୍ୟବହାର କରିପାରିବେ। ଡକ୍ଟର ଏପିଜେ ଅବଦୁଲ କଲାମ ବୈଷୟିକ ବିଶ୍ୱବିଦ୍ୟାଳୟ ( ଏକେଟିୟୁ ) ର ପ୍ରାୟ ୩୦ ଜଣ ପ୍ରଥମ ବର୍ଷ ବିଟେକ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଆପ୍ ମାଧ୍ୟମରେ କୌଣସି ଐତିହ୍ୟ ସ୍ଥଳରେ ଥିବା  କ୍ୟୁଆର କୋଡକୁ ସ୍କାନ୍ କରିବା ମାତ୍ରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ସେହି ସ୍ଥାନର ସମ୍ପୂର୍ଣ୍ଣ ବିବରଣୀ, କାହାଣୀ, ପ୍ରବେଶ ଶୁଳ୍କ ଏବଂ ନିକଟସ୍ଥ ଖାଦ୍ୟପେୟର ସୂଚନା ଉପଲବ୍ଧ ହେଉଛି। ଏକେଟିୟୁ ର ସେଣ୍ଟର ଅଫ୍ ଆଡଭାନ୍ସଡ୍ ଷ୍ଟଡିଜ୍ରେ ୧୦ ସପ୍ତାହ ଧରି ଚାଲିଥିବା କଲାମ ଉଦ୍ଭବପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଏହି ଆପ୍ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଅଫଲାଇନ୍ ମୋଡ୍’, ଯାହା ଭିଡ଼ ସ୍ଥାନରେ ଇଣ୍ଟରନେଟ ନଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବ। ଏହି ବୈଷୟିକ ଉଦ୍ଭାବନ ପର୍ଯ୍ୟଟକଙ୍କୁ ଖୁବ ସହାୟତା ପ୍ରଦାନ କରିବବୋଲି ଆଶା କରାଯାଉଛି।

ପ୍ରଜାପତି ଜଗୁଛି ଆଖୁ କ୍ଷେତ

ଆଖୁ କ୍ଷେତରେ ଗଛଗୁଡ଼ିକ ଅତି ଘଞ୍ଚ ଏବଂ ଲମ୍ବା ହୋଇଥିବାରୁ ପ୍ରତିଟି ଗଛକୁ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବା ଚାଷୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଥାଏ । ତେବେ ଏହି କାରଣରୁ ଗଛ ଭିତରେ ହେଉଥିବା ସଂକ୍ରମଣ ସହଜରେ ଆଖିକୁ ଦେଖାଯାଏ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଇନ୍ଦୋରର ଏସଜିଏସଆଇଟିଏସ ଏବଂ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟିର ଗବେଷକମାନେ ଏକ କ୍ଷୁଦ୍ର ଉଡ଼ନ୍ତା ରୋବୋଟ୍’  ବିକଶିତ କରିଛନ୍ତି, ଯାହାର ସଂରଚନା ପ୍ରଜାପତି ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହି ପ୍ରଜାପତି ରୋବଟି ଘଞ୍ଚ ଆଖୁ କ୍ଷେତରେ ସହଜରେ  ଉଡି ପାରୁଛି। ଏହି ଏଆଇ-ଚାଳିତ ରୋବୋଟ୍ ଗଛର ପତ୍ରଗୁଡ଼ିକର ଅତି ନିକଟରୁ ଫଟୋ ଉତ୍ତୋଳନ କରି ରେଡ୍ ରଟ୍’ , ‘ସ୍ମଟ୍ଏବଂ ୱିଲ୍ଟଭଳି ରୋଗ ଚିହ୍ନଟ କରିବା ସହ ଜିପିଏସ୍ ଟ୍ୟାଗିଂ ମାଧ୍ୟମରେ ରୋଗାକ୍ରାନ୍ତ ଗଛର ସଠିକ୍ ସ୍ଥାନ ଚିହ୍ନଟ କରିଥାଏ। ଏହି ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଚାଷୀମାନେ ସମ୍ପୂର୍ଣ୍ଣ କ୍ଷେତରେ କୀଟନାଶକ ପ୍ରୟୋଗ ନକରି କେବଳ ପ୍ରଭାବିତ ଅଂଶରେ ଚିକିତ୍ସା କରିପାରିବେ, ଯାହା ସମୟ ଓ ଅର୍ଥ ବଞ୍ଚାଇବା ସହ ପରିବେଶ ପାଇଁ ମଧ୍ୟ ଲାଭଦାୟକ।

ସ୍ମାର୍ଟ ଚଷମା ଦେଖାଇବ ବାଟ

ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ପାଇଁ  ଚଳପ୍ରଚଳ କରିବା ସର୍ବଦା ଏକ ବଡ଼ ସମସ୍ୟା ହୋଇଥାଏ । ଯେଉଁଠାରେ ଅଜଣା ରାସ୍ତା କିମ୍ବା ସାମାନ୍ୟ ପ୍ରତିବନ୍ଧକ ମଧ୍ୟ ବିପଦର କାରଣ ସାଜିପାରେ। ଏହି ସମସ୍ୟାର ସମାଧାନ ପାଇଁ ବାଙ୍ଗାଲୋରସ୍ଥିତ ସ୍କେଲର୍ ସ୍କୁଲ୍ ଅଫ୍ ଟେକ୍ନୋଲୋଜିର ଦ୍ୱିତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ତୁଷାର ଶ' ନାମକ ଏକ ଏଆଇ-ଚାଳିତ ସ୍ମାର୍ଟ ଚଷମା ପ୍ରସ୍ତୁତ କରିଛନ୍ତି। ଏହି ଅଭିନବ ଚଷମାରେ ସେନ୍ସର ଏବଂ ଏଆଇର ବ୍ୟବହାର କରାଯାଇଛି, ଯାହା ବ୍ୟକ୍ତିଙ୍କ ସାମ୍ନାରେ ଥିବା ବସ୍ତୁକୁ ଚିହ୍ନଟ କରି ଅଡିଓ ସୂଚନା ଏବଂ ଭାଇବ୍ରେସନ ମାଧ୍ୟମରେ ମାର୍ଗଦର୍ଶନ କରିଥାଏ।  ସେମାନଙ୍କ ପାଇଁ ରାସ୍ତା ଚାଲିବା ସହିତ ଅନ୍ୟକାର୍ଯ୍ୟ କରିବା ସହଜ ହୋଇପାରିଥାଏ ।  ଏହି ସହାୟତା ମାଧ୍ୟମରେ ଆଗକୁ ଉକ୍ତ ପ୍ରୋଟୋଟାଇପ୍କୁ ଅଧିକ ଉନ୍ନତ କରାଯିବ, ଯାହାଫଳରେ ଏହା ଖୁବଶୀଘ୍ର ସାଧାରଣ ଲୋକଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ। ସୋସିଆଲ ମିଡିଆରେ ଏହି ପ୍ରୋଜେକ୍ଟର ଖୁବ ଚର୍ଚ୍ଚା କରାଯାଉଥିବା ଦେଖିବାକୁ ମିଳିଛି ।

Tags: