ମେ' ରେ ବାହାରିବ ମାଟ୍ରିକ ପରୀକ୍ଷାଫଳ ଦେଲେ ବୋର୍ଡ ସଭାପତି
ଭୁବନେଶ୍ବର : ଆଜି ମାର୍ଚ୍ଚ ୨ ତାରିଖ ସରିଲା ମାଟ୍ରିକ ପରୀକ୍ଷା । ଶେଷ ଦିନରେ ଗଣିତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । କାଁ ଭାଁ କେତୋଟି ତ୍ରୁଟି ଛାଡ଼ିଦେଲେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହିତ ମାଟ୍ରିକ୍ ପରୀକ୍ଷା ସମାପନ ହୋଇଛି । ପରୀକ୍ଷାଫଳ କୁ ନେଇ ତାରିଖ ଘୋଷଣା କରିଛନ୍ତି ମାଧ୍ୟମିକ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ବାହାରିବ । OMR ଖାତା ଦେଖା ଆରମ୍ଭ ହୋଇ ସାରିଲାଣି । ଆସନ୍ତା ୧୯ରୁ ସବଜେକ୍ଟିଭ ଖାତା ଦେଖା ଆରମ୍ଭ ହେବ । ମୋଟ୍ ୫୫ କେନ୍ଦ୍ରରେ ୧୫ ହଜାର ନୀରିକ୍ଷକ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ସଭାପତି । ଯଦି କୌଣସି ପାଣିପାଗ ପରିସ୍ଥିତି ନ ଆସେ ତେବେ ମେ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଫଳାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି ।
ସୂଚନାନୁସାରେ, ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରାୟ ୫ ଲକ୍ଷ ୬୧ ହଜାର ୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମୋଟ ୩ ହଜାର ୮୨ଟି ସେଣ୍ଟରରେ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଲାଗି ଅତିରିକ୍ତ ୫୦ ମିନିଟ ସମୟ ଦିଆଯାଇଥିଲା। ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହୋଇଥିଲା ।
ପରୀକ୍ଷା ପରିଚାଳନା ତଦାରଖ ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିଲା। ଚଳିତବର୍ଷ ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ ସେଣ୍ଟରରେ ଲାଇଭଷ୍ଟ୍ରିମିଂ ବ୍ୟବସ୍ଥା ହୋଇଥିଲା ।



