ମଧ୍ୟ ପ୍ରାଚ୍ୟ ଯୁଦ୍ଧ : ସେୟାର ବଜାର ନିମ୍ନଗାମୀ
ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାର ଉପରେ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଯୁଦ୍ଧ ପରିସ୍ଥିତିର ଗଭୀର ପ୍ରଭାବ । ଷ୍ଟକ ମାର୍କେଟରେ ତୀବ୍ର ହ୍ରାସ ପରିଲକ୍ଷିତ ହେଉଛି । ସେନସେକ୍ସରେ ବଡ଼ ଧରଣର ହ୍ରାସ ଯୋଗୁଁ ବୁଡ଼ିଲା ନିବେଶକଙ୍କ ୮ ଲକ୍ଷ କୋଟି ଟଙ୍କା । ସୋମବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ଏକା ଥରକେ ୧୨୦୦ ପଏଣ୍ଟକୁ ଖସିଛି । ସେହିପରି BSE ସେନସେକ୍ସ ୭୮,୫୪୩ ପଏଣ୍ଟ ହ୍ରାସ ପାଇଥିବା ବେଳେ ନିଫ୍ଟି ମଧ୍ୟ ୫୦୦ ପଏଣ୍ଟରୁ ଅଧିକ ତଳକୁ ଖସିଛି ।
ଯୁଦ୍ଧ ଯୋଗୁଁ ଅଶୋଧିତ ତେଲ ଦର ୫% ରୁ ଅଧିକ ବଢ଼ିଥିବାରୁ ଅଟୋମୋବାଇଲ୍, ପେଣ୍ଟ୍ ଏବଂ ବିମାନ ଚଳାଚଳ କ୍ଷେତ୍ରର ଶେୟାର ଗୁଡ଼ିକରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ହ୍ରାସ ଆହୁରି ଗୁରୁତର ହୋଇପାରେ। ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାରରେ ପହଞ୍ଚିପାରେ । ସେହିପରି ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିଛି । ଯାହା ଏବେ ୯୧.୨୯ ରେ ପହଞ୍ଚିଛି । ତେବେ କେବଳ ପ୍ରତିରକ୍ଷା କ୍ଷେତ୍ରର ଶେୟାର ଯେମିତିକି HAL ଏବଂ BEL ଭଳି କମ୍ପାନୀଗୁଡ଼ିକର ଦର ବୃଦ୍ଧି ପାଇଛି ।
ଏସୀୟ ବଜାରରେ ମଧ୍ୟ ତୀବ୍ର ହ୍ରାସ ଦେଖାଯାଇଛି। ଜାପାନର ନିକ୍କେଇ ୨୨୫ ୨.୭% ଏବଂ ଦକ୍ଷିଣ କୋରିଆର କୋସ୍ପି ୨.୪୩% ହ୍ରାସ ପାଇଛି। ରବିବାର ପୂର୍ବରୁ, ଆମେରିକାର ଫ୍ୟୁଚର୍ସ ୧ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଡାଉନ ଜୋନ୍ସ ଇଣ୍ଡଷ୍ଟ୍ରିଆଲ୍ ଆଭରେଜ୍ ୧.୧୧% ହ୍ରାସ ପାଇଛି। ଏହି ସମୟରେ, ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ସାତ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ଗୋଟିଏ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ଆମେରିକା ଓ ଇସ୍ରାଏଲ୍ ର ଇରାନ ଉପରେ ଆକ୍ରମଣ ଏବଂ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଖବର ପରେ ବିଶ୍ୱ ବଜାରରେ ଆତଙ୍କ ଖେଳିଯାଇଛି ।



