ଯେସାକୁ ତେସା
ଆଇମା କାହାଣୀପେଡିରେ ଏଭଳି ଅନେକ କାହାଣୀ ଥାଏ ଯାହାକୁ ଶୁଣି ଆମେ ଲୋକଙ୍କୁ ଚିହ୍ନିବା ଜାଣିଥାଉ । କିଏ ଭଲ କିଏ ଖରାପ, କେଉଁ ପରିସ୍ଥିତିରେ କିଭଳି ଚଳିବାକୁ ହେବ ସେନେଇ ଏହି ଗପରୁ ନୀତିଶିକ୍ଷା ମିଳିଥାଏ । ଏଭଳି ଅନେକ ଗପ ରହିଛି ଯାହା ଆମକୁ ଜୀବନର ମୂଲ୍ୟବୋଧ ଶିଖାଇଥାଏ ।
ସେହିଭଳି ଅନେକ ଗପ ରହିଛି ଯେଉଁଥିରେ ଜୀବନରେ କାହାକୁ ବିଶ୍ବାସ କରିବା କଥା କାହାକୁ ନୁହେଁ ଏନେଇ ଶିକ୍ଷା ରହିଥାଏ । ସେହିଭଳି ଏକ ଗପ ରହିଛି ଯେସାକୁ ତେସା, ଯେଉଁଥିରେ ଖଳପ୍ରକୃତିର ଲୋକଙ୍କୁ କିଭଳି ଶିକ୍ଷା ଦେବାକଥା ସେନେଇ ବୁଝା ଯାଇଛି । ଆସନ୍ତୁ ଜାଣିବା ଏହି ଗପର ବିଷୟବସ୍ତୁ ସମ୍ପର୍କରେ । ଏକଦା ଗୋଟିଏ ଜଙ୍ଗଲରେ ସାପଟିଏ ରହୁଥିଲା । ହେଲେ ସେହି ସାପଟି ଖୁବ ଖଳ ପ୍ରକୃତିର ଥିଲା । ସେ ସବୁବେଳେ ଅନ୍ୟର ଖରାପ ଚିନ୍ତା କରୁଥିଲା । ବୁଲିବୁଲି ଚଢେଇ ମାନଙ୍କର ଅଣ୍ଡା ଖାଇବା ତାର ନିତିଦିନିଆ କାମ ପାଲଟିଥିଲା । ଏହିଭଳି ଅନେକ ଚଢେଇଙ୍କୁ ସେ ହଇରାଣ କରୁଥିଲା । ସମସ୍ତେ ଭାବୁଥିଲେ କିଭଳି ତାକୁ ପାନେ ଦେବେ ହେଲେ ତାର ଡରରେ କେହି କିଛି କରିପାରୁନଥିଲେ । ତେବେ ବଣି ଚଢେଇଟିଏ ସାହସ ବାନ୍ଧିଲା । ସାପକୁ ପାନେ ଦେବା ପାଇଁ ଉପାୟ ପାଞ୍ଚିଲା । ସେହି ଜଙ୍ଗଲ ପାଖରେ ଗୋଟିଏ ଗାଁଟିଏ ଥିଲା । ବଣି ଚଢେଇ ପ୍ରତିଦିନ ସେଠାକୁ ପୋକ ଖାଇବାକୁ ଯାଇଥାଏ । ସେଠାକୁ ଯିବା ସମୟରେ ସେ ଅନେକ କଥା ଲକ୍ଷ କରୁଥାଏ । ସେହି ଲକ୍ଷ ଭିତରେ ସେ ଜାଣିବାକୁ ପାଇଲା ମଣିଷଙ୍କୁ ସୁନା ହାର ଖୁବ ପସନ୍ଦ । ଏହାକୁ ଯିଏ ନେବ ସେ ତାକୁ ଖୁବ କଠୋର ଦଣ୍ଡରେ ଦଣ୍ଡିତ କରିବେ । ଏହା ଜାଣିବା ପରେ ବଣି ଚଢେଇ ଏକ ଉପାୟ ପାଞ୍ଚିଲା । ସେ ସେହି ମଣିଷଙ୍କ ଘରୁ ଏକ ସୁନାର ହାର ପାଟିରେ ଧରି ଉଡି ଆସିଲା । ବଣି ଚଢେଇ ହାର ଧରି ଆସୁଥିବାର ଦେଖି କିଛି ଲୋକ ଠେଙ୍ଗା ଧରି ତା ପଛରେ ଗୋଡାଇଲେ । ବଣି ଚଢେଇଟି ଉଡିଉଡି ଆସି ସାପର ଗାତରେ ସେହି ହାର ଟିକୁ ପକାଇ ଚାଲିଗଲା । ଏହାପରେ ସେହି ଲୋକମାନେ ହାର ନେବାପାଇଁ ସାପ ଗାତରେଥିବା ସାପଟିକୁ ବାଡେଇ ମାରିଦେଲେ ଏବଂ ହାର ନେଇଗଲେ । ଏହିପରି ଭାବେ ଖଳ ସାପର ଅନ୍ତ ଘଟିଲା । ବଣି ଚଢେଇ ନିର୍ବଳ ହେଲେ ମଧ୍ୟ ସାହସ କରି ନିଜର ବୁଦ୍ଧି ଲଗାଇ ସାପକୁ ହରାଇବାରେ ସଫଳ ହୋଇପାରିଲା । ଯେଉଁ କାରଣରୁ ଜଙ୍ଗଲରେ ଥିବା ସମସ୍ତ ପକ୍ଷୀ ସାପର ଦାଉରୁ ରକ୍ଷା ପାଇପାରିଲେ । ତେଣୁ ଜୀବନରେ ଖଳ ପ୍ରକୃତିର ଲୋକଙ୍କୁ ଡରିବାର ଆବଶ୍ୟକତା ନାହିଁ ସେମାନଙ୍କୁ ବୁଦ୍ଧି ଲଗାଇ ସାମନା କରିପାରିଲେ ସଫଳତା ମିଳିବ ।


