ସମ୍ପର୍କର ଇତିହାସ

ସମ୍ପର୍କର ଇତିହାସ
Ipsita Picture
By: Ipsita
Published On

 

ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇସ୍ରାଏଲ୍ର ଇରାନ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଏକ ଭୟଙ୍କର ଯୁଦ୍ଧର ରୂପ ନେଇଛି, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି । ଏହି ଆକ୍ରମଣ ପଛରେ ଅନେକଗୁଡ଼ିଏ ଗଭୀର ରଣନୈତିକ, ସାମରିକ ଏବଂ ଐତିହାସିକ କାରଣ ରହିଛି। ପ୍ରଥମତଃ, ଇସ୍ରାଏଲ ଏହାକୁ ଏକ 'ପ୍ରତିଷେଧକ ଆକ୍ରମଣ' ବା ପ୍ରି-ଏମ୍ପଟିଭ୍ ଷ୍ଟ୍ରାଇକ୍ ବୋଲି କହିଛି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବିପଦ ସାଜିଥିବା ଇରାନର ମିସାଇଲ୍ ଭିତ୍ତିଭୂମି ଏବଂ ଡ୍ରୋନ୍ କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା । ତେଣୁ ସେ ଇରାନ ଉପରେ ଆକ୍ରମଣ କରିଥିବାନେଇ ଅନେକ ଇସ୍ରାଏଲର ନେତା ମତ ଦେଉଛନ୍ତି । ଦ୍ୱିତୀୟରେ, ଆମେରିକାର ଦାବି ଅନୁଯାୟୀ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଗୁପ୍ତରେ ଜାରି ରଖିଛି । ଯେଉଁଥିରେ ସେ ପରମାଣୁ ବୋମା ଓ ଏପରି ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ପ୍ରସ୍ତୁତ କରୁଥିଲା, ଯାହା ଆଗାମୀ ସମୟରେ ଆମେରିକାର ମୂଳ ଭୂଖଣ୍ଡ ପର୍ଯ୍ୟନ୍ତ ପହଞ୍ଚିବାର କ୍ଷମତା ରଖିଥାନ୍ତା । ତୃତୀୟରେ, ଇରାନରେ ହେଉଥିବା ଜନ ଆନ୍ଦୋଳନକୁ ଦମନ କରିବା ପାଇଁ ସେଠାକାର ସରକାର ଅତି ଅମାନୁଷିକ ଭାବେ ବଳ ପ୍ରୟୋଗ କରୁଥିଲେ, ଯାହାକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୂଳତଃ ଏହି କାରଣ ପାଇଁ ଯୁଦ୍ଧ ଆରମ୍ଭ ହେଇଥିବାନେଇ ସୂଚନା ରହିଛି । ଏହି ସଂଘର୍ଷର ଇତିହାସକୁ ଦେଖିଲେ, ୧୯୭୯ର ଇସଲାମିକ କ୍ରାନ୍ତି ପୂର୍ବରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା । ହେଲେ କ୍ରାନ୍ତି ପରେ ଇରାନର ନୂତନ ନେତୃତ୍ୱ ଇସ୍ରାଏଲକୁ ଏକ 'ଅବୈଧ ରାଷ୍ଟ୍ର' ଭାବେ ଘୋଷଣା କରିବା ସହ ଏହାର ବିନାଶ ପାଇଁ ଆହ୍ୱାନ ଦେଇଥିଲେ। ସେବେଠାରୁ ଉଭୟ ଦେଶ ମଧ୍ୟରେ ଏକ 'ଛାୟା ଯୁଦ୍ଧ'  ଚାଲିଆସୁଛି, ଯେଉଁଥିରେ ଇରାନ ନିଜର ପ୍ରକ୍ସି ଗୋଷ୍ଠୀ ଯଥା ହିଜବୁଲ୍ଲା, ହାମାସ ଏବଂ ହୁତି ବିଦ୍ରୋହୀଙ୍କ ସାହାଯ୍ୟରେ ଇସ୍ରାଏଲକୁ ଟାର୍ଗେଟ କରୁଛି । ଅନ୍ୟପଟେ ଇସ୍ରାଏଲ୍ ବିଭିନ୍ନ ସମୟରେ ଇରାନର ପରମାଣୁ ବୈଜ୍ଞାନିକଙ୍କୁ ହତ୍ୟା କରିବା ଏବଂ ସାଇବର ଆକ୍ରମଣ ଜରିଆରେ ସେମାନଙ୍କ ପରମାଣୁ ରିଆକ୍ଟରକୁ ନଷ୍ଟ କରିବାକୁ ଚେଷ୍ଟା କରିଆସିଛି । ବର୍ତ୍ତମାନର ଏହି ପ୍ରତ୍ୟକ୍ଷ ମୁହାଁମୁହିଁ ପରିସ୍ଥିତି ଦଶନ୍ଧି ଦଶନ୍ଧି ଧରି ଜମି ରହିଥିବା ସେହି ପୁରୁଣା ଶତ୍ରୁତା, ପରମାଣୁ ଶକ୍ତି ହାସଲ କରିବାର ପ୍ରତିଯୋଗିତା ଏବଂ ମଧ୍ୟପ୍ରାଚ୍ୟରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାର ଚରମ ପରିଣତି ଅଟେ। ତେବେ ଏହି ଯୁଦ୍ଧରେ ଆମେରିକାର ଇସ୍ରାଏଲକୁ ସହଯୋଗ ପରିସ୍ଥିତିକୁ ଆହୁରି ଜଟିଳ କରିଛି ।

Tags: