ସିଏମସି ପାଇଁ ୧୨ ଶହ ୬୮ କୋଟି ଟଙ୍କାର ବଜେଟ
କଟକ: ଚଳିତ ବର୍ଷ କଟକ ମହାନଗର ନିଗମ ପାଇଁ ବୃହତ ଆର୍ଥିକ ଅନୁଦାନ । ୧୨ ଶହ ୬୮ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଯାହା ଆଜି କାଉନସିଲ ବୈଠକରେ ଉପସ୍ଥାପିତ ହୋଇଛି । ତେବେ ଏତେ ବଡ଼ ଆକାର ବଜେଟ ର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ ୱାର୍କ୍ସ କମିଟିର ଅଧ୍ୟକ୍ଷ । କାରଣ ଗତବର୍ଷ ଆଗତ ହୋଇଥିବା ୧୨ କୋଟି ଟଙ୍କା ବଜେଟରୁ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି । ପୁଣି କେବଳ ଋଣ ଏବଂ ସରକାରୀ ଅନୁଦାନକୁ ନେଇ ବଜେଟ୍ ପ୍ରସ୍ତୁତ ହେଉଛି । କିନ୍ତୁ ସିଏମସିର ନିଜସ୍ୱ ଆୟ କମିବାରେ ଲାଗିଛି । ଯାହାକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି ।
ଏଥର ନୂତନ ନିର୍ମାଣ ଓ ମରାମତି ବାବଦରେ ସର୍ବାଧିକ ୬ ଶହ ୫୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ସେଥିମଧ୍ୟରୁ ୱାର୍ଡ ସୌନ୍ଦର୍ଯ୍ୟକରଣ ଲାଗି ୪୦ କୋଟି, ପାର୍କ ଏବଂ କମ୍ୟୁନିଟି ହଲ ଗୁଡିକର ବିକାଶ ପାଇଁ ୩୫ କୋଟି, ଷ୍ଟ୍ରିଟ ଲାଇଟ ବାବଦୀୟ ୨୫ କୋଟି, ନୂଆ ରାସ୍ତା ନିର୍ମାଣ ଓ ମରାମତି ଲାଗି ୧୫ କୋଟି, ଜଳାଶୟ ପୁନଃରୁଦ୍ଧାର ଲାଗି ୧୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିମଳ ବାବଦରେ ୯୧ ଦଶମିକ ୭୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । ସେଥି ମଧ୍ୟରୁ କେବଳ ବାୟୋ ମାଇନିଂ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା । କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ । ନିର୍ଦ୍ଧିଷ୍ଟ ଏଜେନ୍ସି ପାଇଁ ଅହେତୁକ ଅନୁକମ୍ପା ଦେଖାଯାଉଛି, କିନ୍ତୁ ଯୋଗ୍ୟ ସଂସ୍ଥାଙ୍କୁ ବାଇଓ ମାଇନିଙ୍ଗ କାମ କାହିଁକି ଦିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କିନ୍ତୁ ସିଏମସି ମେୟର କହିଛନ୍ତି କି, ଏହା ଏକ ଚମତ୍କାର ବଜେଟ। ଗତ ୪ ବର୍ଷ ଭିତରେ ସିଏମସିର ନିଜସ୍ୱ ଆୟ କମିବାରେ ଲାଗିଛି । ବିଶେଷ କରି ହୋର୍ଡିଙ୍ଗ ଏବଂ ହୋଲଡିଂ ଟିକସ ଅନାଦେୟ ହୋଇ ରହିବା କାରଣରୁ ବାର୍ଷିକ ପ୍ରାୟ ଦେଢ଼ ଶହ କୋଟିର ରାଜସ୍ବ ହରାଉଛି ସିଏମସି ।



