ମହିଳା ଦିବସ

ମହିଳା ଦିବସ
Ipsita Picture
By: Ipsita
Published On

କଥାରେ ଅଛି ଝିଅ ହସିଲେ ଘର ହସିଥାଏ । ଗୋଟିଏ ଘରକୁ ସ୍ନେହ ମମତାରେ ବାନ୍ଧି ରଖିବାରେ ସବୁଠାରୁ ବଡ ହାତଥାଏ ଘରେ ଥିବା ମହିଳାଙ୍କର ।  ଏକ ସୁସମାଜ ଗଢିବାରେ ମଧ୍ୟ ମହିଳାଙ୍କର ଯୋଗଦାନ ଖୁବ ଗୁରୁତ୍ବପୂର୍ଣ୍ଣ ରହିଥାଏ । ଏହିଭଳି ଅନେକ ଗୁରୁତ୍ବପୂର୍ଣ୍ଣ କଥାରେ ପୁରୁଷର ସହଭାଗୀହୋଇ ଚାଲୁଥିବା ନାରୀ ସମାଜକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ରେ ପାଳିତ ହୋଇଥାଏ ଆନ୍ତର୍ଜାତିକ ମହିଳା ଦିବସ ।

 

ଆନ୍ତର୍ଜାତିକ ମହିଳା ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସାରା ବିଶ୍ୱରେ ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ରାଜନୈତିକ ସଫଳତାକୁ ସମ୍ମାନ ଜଣାଇବା ପାଇଁ ପାଳନ କରାଯାଏ । ଏହି ଦିବସର ଇତିହାସ ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଶ୍ରମିକ ଆନ୍ଦୋଳନରୁ ଆରମ୍ଭ ହୋଇଥିଲା। ୧୯୦୮ ମସିହାରେ ନ୍ୟୁୟର୍କ ସହରରେ ପ୍ରାୟ ୧୫,୦୦୦ ମହିଳା କାମ କରିବାର ସମୟ ସୀମା କମାଇବା, ଭଲ ଦରମା ଏବଂ ଭୋଟ୍ ଦେବାର ଅଧିକାର ଦାବି କରି ଶୋଭାଯାତ୍ରା କରିଥିଲେ । ପରବର୍ତ୍ତୀ ସମୟରେ ୧୯୧୦ ମସିହାରେ କୋପେନହେଗେନ୍ରେ ଅନୁଷ୍ଠିତ ଏକ ସମ୍ମିଳନୀରେ କ୍ଲାରା ଜେଟକିନ୍ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ୧୯୭୫ ମସିହାରେ ଜାତିସଂଘ ଏହାକୁ ଆନୁଷ୍ଠାନିକ ମାନ୍ୟତା ପ୍ରଦାନ କରିଥିଲା । ଏହି ଦିବସର ଗୁରୁତ୍ୱ କେବଳ ମହିଳାମାନଙ୍କ ଉପଲବ୍ଧିକୁ ଉତ୍ସବ ଭାବେ ପାଳନ କରିବା ନୁହେଁ । ଲିଙ୍ଗଗତ ସମାନତା ବଜାୟ ରଖିବା ଏବଂ ମହିଳାଙ୍କ ପ୍ରତି ହେଉଥିବା ବୈଷମ୍ୟ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ ଅଟେ । ପ୍ରତିବର୍ଷ ଭିନ୍ନଭିନ୍ନ ଥିମରେ ପାଳନ ହେଉଥିବା ଏହି ଦିବସର  ୨୦୨୬ ମସିହା ପାଇଁ ଥିମ ରହିଛି ଗିଭ ଟୁ ଗେନ୍ । ଯାହା ଦର୍ଶାଏ ଯେ ମହିଳାଙ୍କ ବିକାଶରେ ନିବେଶ କଲେ ସମଗ୍ର ସମାଜର ବିକାଶ ହୋଇଥାଏ। ଏହା ବିଭିନ୍ନ ସ୍ଥାନରେ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ସମ୍ମାନ ପ୍ରଦାନ ଏବଂ ସୋସିଆଲ ମିଡିଆ ଅଭିଯାନ ମାଧ୍ୟମରେ ପାଳନ କରାଯାଏ, ଯେଉଁଠାରେ ନାରୀ ଶକ୍ତିକୁ ପ୍ରଶଂସା କରାଯିବା ସହ ସେମାନଙ୍କ ଅଧିକାର ପାଇଁ ସଂକଳ୍ପ ନିଆଯାଏ । ଏହି ଦିବସ ଆମକୁ ମହିଳା ସଶକ୍ତିକରଣର ଯାତ୍ରାକୁ ଆଗକୁ ନେବାକୁ ପ୍ରେରଣା ଦିଏ। ଏହିଦିନ ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନରେ ଏକାଧୀକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।

Tags: