ଆଇନଜୀବୀଙ୍କ ଘରକୁ ବୋମାମାଡ଼
ବ୍ରହ୍ମପୁର : ଦୁର୍ବୁତ୍ତଙ୍କ ଟାର୍ଗେଟରେ ପୁଣି ଜଣେ ଆଇନଜୀବୀ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ସହ ଖଣ୍ଡାରେ ଆକ୍ରମଣ ଉଦ୍ୟମ ହୋଇଛି । ଆଇନଜୀବୀ ମହେଶ ତ୍ରିପାଠୀ ନିଜ ଘର ପାଖରେ ଠିଆ ହୋଇଥିବା ବେଳେ ପାଖାପାଖି ୨୦ରୁ ଉର୍ଧ୍ଵ ଦୁବୃର୍ତ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଘର ଉପରକୁ ଇଟା ପଥର ମାଡ଼ କରିବା ସହିତ ଦୁଇଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି । ଏହାପରେ ମହେଶଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପ୍ରତିବାଦ କରିଥିଲେ । ମହେଶ ତ୍ରିପାଠୀ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି । ଦୁର୍ବୁତ୍ତଙ୍କ ଖଣ୍ଡା ମାଡ଼ରେ ମହେଶଙ୍କ ପରିବାରର ୨ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ତେବେ ଘଟଣାସ୍ଥଳରେ ଏକ ଖଣ୍ଡା ଛାଡ଼ି ଦେଇ ଚମ୍ପଟ ମାରିଛନ୍ତି ଦୁବୃର୍ତ୍ତ । ଏନେଇ ବଡ଼ ବଜାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ବ୍ରହ୍ମପୁର ଏସ୍ପି ଡା.ଶରବଣା ବିବେକ ଏମ ସୂଚନା ଦେଇଛନ୍ତି । କିଛିଦିନ ଧରି ଦାଦା ବଟି ଆଦାୟ ନାଁରେ ଏକ ଗୋଷ୍ଠୀ ଅରାଜକତା ଚଳାଉଥିବା ନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସୂଚନା ପାଇଛି ।



