ଲାଭ କାହାର

ଲାଭ କାହାର
Ipsita Picture
By: Ipsita
Published On

 

ଏହି ଯୁଦ୍ଧରେ ଇସ୍ରାଏଲ୍ କିମ୍ବା ଆମେରିକା ମଧ୍ୟରୁ କାହାକୁ ଅଧିକ ଫାଇଦା ମିଳିବ, ତାହାକୁ ନେଇ ଚାଲିଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଉଭୟ ଦେଶର ନିଜସ୍ୱ ରଣନୈତିକ ସ୍ୱାର୍ଥ ରହିଛି । ଯଦି ଇରାନ ସହିତ ଆମେରିକାର ସମ୍ପର୍କ ସୁଧୁରିଥାନ୍ତା, ତେବେ ମଧ୍ୟପ୍ରାଚ୍ୟରେ ଇସ୍ରାଏଲର ଏକଚାଟିଆ ପ୍ରଭାବ କ୍ଷୁଣ୍ଣ ହେବାର ଆଶଙ୍କା ଥିଲା । କାରଣ ୧୯୪୮ ପରଠାରୁ ଇସ୍ରାଏଲ୍ ହେଉଛି ଆମେରିକାଠାରୁ ସବୁଠାରୁ ଅଧିକ ଆର୍ଥିକ ଓ ସାମରିକ ସହାୟତା ପାଉଥିବା ଦେଶ। 'କାଉନସିଲ୍ ଅନ୍ ଫରେନ୍ ରିଲେସନ୍ସ'ର ତଥ୍ୟ ଅନୁଯାୟୀ, ଆମେରିକା ଏବେ ସୁଦ୍ଧା ଇସ୍ରାଏଲକୁ ୩୦୦ ବିଲିୟନ ଡଲାରରୁ ଅଧିକ ସହାୟତା ଦେଇସାରିଛି । କେବଳ ଏତିକି ନୁହେଁ ବାର୍ଷିକ ପ୍ରାୟ ୩.୮ ବିଲିୟନ ଡଲାରର ସାମରିକ ସହାୟତା ଅର୍ଥାତ ଇସ୍ରାଏଲର ପ୍ରତିରକ୍ଷା ବଜେଟର ୧୬ ପ୍ରତିଶତ ଭରଣା କରେ। ଅନ୍ୟପଟେ, ଇରାନରେ ସର୍ବୋଚ୍ଚ ନେତା ଖାମେନେଇଙ୍କ ପତନ ଏବଂ ଏକ ଆମେରିକା ସପକ୍ଷବାଦୀ ସରକାର ଗଠନ ହେଲେ ୱାଶିଂଟନକୁ ବଡ଼ ଫାଇଦା ମିଳିବ । ମଧ୍ୟପ୍ରାଚ୍ୟର ପ୍ରାୟ ସମସ୍ତ ପ୍ରମୁଖ ଦେଶରେ ଆମେରିକାର ସାମରିକ ଘାଟି ଥିଲେ ହେଁ କେବଳ ଇରାନରେ ଏହାର କୌଣସି ଉପସ୍ଥିତି ନାହିଁ। ଯଦି ଇରାନରେ ଶାସନ ପରିବର୍ତ୍ତନ ହୁଏ, ତେବେ ରେଡ ସିର ବାଣିଜ୍ୟିକ ମାର୍ଗ ଉପରେ ନିୟନ୍ତ୍ରଣ ସହ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ଆମେରିକାର ପ୍ରଭୁତ୍ୱ ପ୍ରତିଷ୍ଠା ହୋଇପାରିବ, ଯାହା ଉଭୟ ଦେଶ ପାଇଁ ଏକ ବିରାଟ ରଣନୈତିକ ବିଜୟ ସଦୃଶ ହେବ । ତେଣୁ ଏଥିପାଇଁ ଆମେରିକା ଏହି ଯୁଦ୍ଧରେ ଏତେ ମନ ବଳାଉଥିବା ନେଇ ଚର୍ଚ୍ଚା ହେଉଛି ।

Tags: