ଭାରତ ଉପରେ ପ୍ରଭାବ

ଭାରତ ଉପରେ ପ୍ରଭାବ
Ipsita Picture
By: Ipsita
Published On

 

ମଧ୍ୟପ୍ରାଚ୍ୟରେ ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ପ୍ରଭାବ ଏବେ ଭାରତ ଉପରେ ପଡ଼ିବା ଆରମ୍ଭ କରିଛି । ଦେଶର ଶକ୍ତି ସୁରକ୍ଷା ଏବଂ ଅର୍ଥନୀତି ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ଭାରତର ପ୍ରାୟ ଅଧା ଅଶୋଧିତ ତୈଳ ଆମଦାନୀ ସମେତ ଏଲ୍.ଏନ୍.ଜି ଏବଂ ଏଲ୍.ପି.ଜିର ଏକ ବଡ଼ ଅଂଶ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ଦେଇ ଆସିଥାଏ, ଯାହା ଏହି ସଂଘର୍ଷ ଯୋଗୁଁ ବର୍ତ୍ତମାନ ବନ୍ଦ ହୋଇଯାଇଛି । କେବଳ ଶକ୍ତି ନୁହେଁ, ଗଲ୍ଫ ଦେଶଗୁଡ଼ିକରେ ପ୍ରାୟ ୧ କୋଟି ଭାରତୀୟ ବାସ କରୁଛନ୍ତି, ଯେଉଁମାନେ ଭାରତକୁ ପଠାଉଥିବା ବିପୁଳ ପରିମାଣର ବିଦେଶୀ ମୁଦ୍ରା ଦେଶର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିଥାଏ । ମାତ୍ର ବର୍ତ୍ତମାନର ଅସ୍ଥିରତା ଯୋଗୁଁ ଏହି ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଓ ରୋଜଗାର ପ୍ରତି ବିପଦ ସୃଷ୍ଟି ହୋଇଛି ।   ଏହି ଯୁଦ୍ଧ ଦୀର୍ଘସ୍ଥାୟୀ ହେଲେ ଭାରତର ପାରମ୍ପରିକ କୂଟନୈତିକ ସନ୍ତୁଳନ ବିଗିଡ଼ିପାରେ ବୋଲି ସମୀକ୍ଷକ ମତ ଦେଉଛନ୍ତି ।  ଏହି ଯୁଦ୍ଧ ଯୋଗୁଁ ଭାରତ ଚାରୋଟି ମୁଖ୍ୟ କ୍ଷେତ୍ର  ଶକ୍ତି ଯୋଗାଣ, ବିଦେଶୀ ମୁଦ୍ରା ପ୍ରବାହ, ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଆଦିରେ ବଡ଼ ଧରଣର କ୍ଷତି ସହିବାର ଆଶଙ୍କା ରହିଛି । ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏବଂ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ବନ୍ଦ ହେବା କାରଣରୁ ଭାରତର ଶକ୍ତି ସୁରକ୍ଷା ଓ ଅର୍ଥନୀତି ପ୍ରତି ଏକ ବଡ଼ ସଙ୍କଟ ସୃଷ୍ଟି ହୋଇଛି । ଯାହା କେବଳ ପେଟ୍ରୋଲ-ଡିଜେଲ ନୁହେଁ ବରଂ ରୋଷେଇ ଗ୍ୟାସ୍ ଏବଂ ଶିଳ୍ପାଞ୍ଚଳରେ ବ୍ୟବହୃତ ଏଲଏନଜି ଯୋଗାଣକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରିବାର ଆଶଙ୍କା ଉପୁଜିଛି । ଭାରତ ନିଜର ଆବଶ୍ୟକ ମୋଟ ଅଶୋଧିତ ତୈଳର ୯୦% ଏବଂ ଏଳପିଜି ର ୮୦-୮୫% ଆମଦାନୀ କରିଥାଏ, ଯାହାର ଏକ ବଡ଼ ଅଂଶ ଏହି ହର୍ମୁଜ୍ ଜଳପଥ ଦେଇ ଆସିଥାଏ ।  ଇରାନର ଚାବାହାର ବନ୍ଦର ଉପରେ ଆମେରିକାର କଟକଣା ଏବଂ ସାରା ଅଞ୍ଚଳରେ ବୃଦ୍ଧି ପାଉଥିବା ଅସ୍ଥିରତା ଯୋଗୁଁ ସାର, ପେଟ୍ରୋକେମିକାଲ୍ସ ଏବଂ ହୀରା କଳକାରଖାନା ଭଳି କ୍ଷେତ୍ରରେ କଞ୍ଚାମାଲର ଅଭାବ ଦେଖାଦେଇପାରେ, ଯାହାକି ଏକ ଆଞ୍ଚଳିକ ସଂଘର୍ଷରୁ ଭାରତ ପାଇଁ ଏକ ବ୍ୟାପକ ଆର୍ଥିକ ସଙ୍କଟରେ ପରିଣତ ହେବାର ଆଶଙ୍କା ରହିଛି । ତେବେ ଏଥିପ୍ରତି ଭାରତ ସରକାର ଜାଗ୍ରତ ଥିବାବେଳେ ଉଚିତ ପଦକ୍ଷେପ ଗ୍ରହଣ କରୁଥିବାନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଦେଶବାସୀ କିଭଳି କୌଣସି ସଙ୍କଟରେ ନଫସିବେ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ପ୍ରବାସୀ ଭାରତୀୟ ଯେଉଁମାନେ ଯୁଦ୍ଧ ପ୍ରଭାବିତ ଦେଶରେ ରହିଛନ୍ତି ସେମାନଙ୍କ ସହିତ ମଧ୍ୟ ଭାରତ ସରକାର ରହିଥିବା ସୂଚନା ଦେଇଛନ୍ତି । ସେମାନଙ୍କ ସୁରକ୍ଷାକୁ ନେଇ ସରକାର ତତ୍ପର ରହିବା ସହିତ ସମସ୍ତ ସୁବିଧା ଯୋଗାଉଥିବା ଜଣା ପଡିଛି ।

 

Tags: