ବର୍ଜ୍ୟରୁ ବ୍ୟବହାରଯୋଗ୍ୟ

ବର୍ଜ୍ୟରୁ ବ୍ୟବହାରଯୋଗ୍ୟ
Ipsita Picture
By: Ipsita
Published On

 

ଅନେକ ସମୟରେ ଛୋଟଛୋଟ ଷ୍ଟାର୍ଟଅପ ପରିବେଶ ପାଇଁ ଖୁବ ଉପକାରୀ ପ୍ରୋଜେକ୍ଟ ଲଞ୍ଚ କରିଥାଆନ୍ତି । ସେହିଭଳି ଏକ ପ୍ରୋଜେକ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଆବର୍ଜନାକୁ ଉପଯୋଗ କରି ଏକ ଅନୁଷ୍ଠାନ ପ୍ରସ୍ତୁତି କରୁଛି ବ୍ୟବହାର ଉପଯୋଗୀ ସାମଗ୍ରୀ ।

ତାମିଲନାଡୁର ପର୍ଯ୍ୟଟନସ୍ଥଳୀ ଭେଲିଙ୍ଗିରି ପାହାଡ଼କୁ ଯାଉଥିବା ଶ୍ରଦ୍ଧାଳୁମାନେ ଛାଡି ଯାଉଥିବା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପୂର୍ବରୁ ପରିବେଶପାଇଁ ଏକ ଚିନ୍ତାର ବିଷୟ ପାଲଟିଥିଲା । ତେବେ ଏହି ଚିନ୍ତାକୁ ସେଠିକାର ଏକ ଷ୍ଟାର୍ଟଅପ କମ୍ପାନୀ ସମାଧାନ କରିଥିବା ଦେଖିବାକୁ ମିଳିଛି ।  ବୁଲୁଭାମ୍ପଟ୍ଟିସ୍ଥିତ ଫରେଷ୍ଟ ରେଞ୍ଜ ଅଫିସରେ ସ୍ଥାପିତ ହୋଇଥିବା ଆଲମାରୀ, ଟେବୁଲ୍ ଏବଂ ତିନି ସିଟ୍ ବିଶିଷ୍ଟ ସୋଫା ସେଟ୍ କୌଣସି କାଠ କିମ୍ବା ଧାତୁରେ ନୁହେଁ, ବରଂ ଟ୍ରେକିଂ ରୁଟ୍ରୁ ସଂଗୃହିତ ପ୍ଲାଷ୍ଟିକ୍ରୁ ପ୍ରସ୍ତୁତ କରାଯାଇଛି। ତାମିଲନାଡୁ ବନ ବିଭାଗ ଏବଂ କୋଏମ୍ବାଟୁରସ୍ଥିତ କ୍ଲିନ୍-ଟେକ୍ ଷ୍ଟାର୍ଟ-ଅପ୍ 'ରିକମ୍ପୋଜ୍ ରିସାଇକ୍ଲିଂ ପ୍ରାଇଭେଟ୍ ଲିମିଟେଡ୍' ର ମିଳିତ ସହଯୋଗରେ ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ବିଶେଷ କରି ମଲ୍ଟି-ଲେୟାର୍ ପ୍ଲାଷ୍ଟିକ୍ , ଯାହା ସାଧାରଣତଃ ସ୍ନାକ୍ସ ପ୍ୟାକେଟ୍ ଏବଂ ସାଚେ ଆକାରରେ ପାହାଡ଼ ଉପରେ ପଡିରହିଥାଏ ଏବଂ ଯାହାକୁ ରିସାଇକ୍ଲିଂ କରିବା ସବୁଠାରୁ କଷ୍ଟକର । ସେହି ବର୍ଜ୍ୟବସ୍ତୁକୁ ଏବେ ଲ୍ୟାଣ୍ଡଫିଲ୍କୁ ନପଠାଇ ଉପଯୋଗୀ ସାମଗ୍ରୀରେ ପରିଣତ କରାଯାଉଛି । ବନ ବିଭାଗର ଅଧିକାରୀଙ୍କ ସହାୟତାରେ ଏହି ପ୍ଲାଷ୍ଟିକ୍କୁ ସଫା କରାଯାଇ ପ୍ରକ୍ରିୟାକରଣ ପରେ ରୁଫିଙ୍ଗ୍ ସିଟ୍, ପେଭର ବ୍ଲକ୍ ଏବଂ ଆସବାବପତ୍ରରେ ରୂପାନ୍ତରିତ କରାଯାଉଛି । ଏହି ପଦକ୍ଷେପ କେବଳ ପରିବେଶ ପ୍ରଦୂଷଣ ରୋକୁନାହିଁ, ବରଂ ସ୍ଥାନୀୟ ପ୍ରଶାସନ ପାଇଁ ବର୍ଜ୍ୟବସ୍ତୁ ପରିଚାଳନାର ଏକ ସ୍ଥାୟୀ ମଡେଲ୍ ଭାବେ ଉଭା ହୋଇଛି । କେବଳ ଭେଲିଙ୍ଗିରି ପାହାଡ଼ ନୁହେଁ, ଏହି ରିସାଇକ୍ଲିଂ ମଡେଲ୍ କୋଏମ୍ବାଟୁରର କିଟ୍ଟମ୍ପାଲାୟମ୍ ଗ୍ରାମ ପଞ୍ଚାୟତରେ ମଧ୍ୟ ସଫଳତା ପାଇଛି । ୨୦୨୪ ନଭେମ୍ବର ସୁଦ୍ଧା ଶେଷ ହୋଇଥିବା ଏକ ପ୍ରକଳ୍ପରେ ପ୍ରାୟ ୧,୯୦୮ କିଲୋଗ୍ରାମ ମଲ୍ଟି-ଲେୟାର୍ ପ୍ଲାଷ୍ଟିକ୍ ବ୍ୟବହାର କରି ଏକ ବସ୍ ଶେଲ୍ଟର ନିର୍ମାଣ କରାଯାଇଛି । ଏଠାରେ ଗ୍ରାମବାସୀଙ୍କୁ ବର୍ଜ୍ୟବସ୍ତୁ ପୃଥକୀକରଣ ଏବଂ ଜୈବିକ ବର୍ଜ୍ୟବସ୍ତୁକୁ ଖତରେ ପରିଣତ କରିବା ପାଇଁ ମଧ୍ୟ ଶିକ୍ଷା ଦିଆଯାଉଛି । ଏହି ସଫଳତା ଭାରତର ଅନ୍ୟାନ୍ୟ ସଂସ୍ଥା ଯେଉଁମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ରାସ୍ତା ମରାମତି ଏବଂ ଉଚ୍ଚମାନର କଞ୍ଚାମାଲ ପ୍ରସ୍ତୁତ କରୁଛନ୍ତି ସେମାନେ ପ୍ରେରିତ ହେଉଛନ୍ତି । ପବିତ୍ର ପୀଠଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭେଲିଙ୍ଗିରିର ଏହି ମଡେଲ୍ ଏକ ବଡ଼ ଉଦାହରଣ ପାଲଟିଛି । ଯେଉଁ ପ୍ଲାଷ୍ଟିକ୍ ଦିନେ ପାହାଡ଼ର ପରିବେଶ ପାଇଁ ବିପଦ ସାଜିଥିଲା, ଆଜି ତାହା ସେହି ଜଙ୍ଗଲ ଏବଂ ଜନସାଧାରଣଙ୍କ ସେବାରେ ଉପଯୋଗୀ ସମ୍ପତ୍ତି ଭାବେ ବ୍ୟବହୃତ ହେଉଛି । ଏହି ମଡେଲକୁ ଅନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର ପାଇଁ ଆଲୋଚନା ଜାରି ରହିଛି । ଏହା ପରିବେଶ ପ୍ରଦୂଷଣ ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ବ୍ୟବହାର କରିବା ପାଇଁ ଏକ ଭଲ ବିକଳ୍ପବୋଲି ମତ ପ୍ରକାଶ ପାଉଛି ।

Tags: