ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଏହି ଭୟଙ୍କର ସଂଘର୍ଷ ବିଶ୍ୱ ଅର୍ଥନୀତି ଉପରେ ଗମ୍ଭୀର ପ୍ରଭାବ ପକାଇବା ଆରମ୍ଭ କରିଛି । ଏଥିରେ ବିଶ୍ୱର ପ୍ରାୟ ୨୦% ତୈଳ ଏବଂ ଗ୍ୟାସ୍ ଯୋଗାଣ କରୁଥିବା ଗୁରୁତ୍ୱପୂର୍ଣ୍ଣ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ଓମାନର ଦୁକମ୍ ବାଣିଜ୍ୟିକ ବନ୍ଦର ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଫୁଜୈରା ଟର୍ମିନାଲ୍ ଭଳି ପ୍ରମୁଖ ତୈଳ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ହେବା ଯୋଗୁଁ କାତାର ଏବଂ ସୌଦି ଆରବ ଭଳି ଦେଶଗୁଡ଼ିକ ନିଜର ଉତ୍ପାଦନ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି । ଯାହାର ପରିଣାମ ସ୍ୱରୂପ ଅଶୋଧିତ ତୈଳ ଦରରେ ୧୫% ବୃଦ୍ଧି ଘଟି ବ୍ରେଣ୍ଟ ଅଏଲ୍ ମୂଲ୍ୟ ବ୍ୟାରେଲ୍ ପିଛା ୮୩.୯୬ ଡଲାରରେ ପହଞ୍ଚିଛି, ଆଗକୁ ଏହା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି । କୁଏତ ଉପକୂଳରେ ଏକ ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ତୈଳ ଟ୍ୟାଙ୍କରରୁ ତେଲ ଲିକ୍ ହେବା ଘଟଣା ସାମୁଦ୍ରିକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ଏହି ଅସ୍ଥିରତା ଯୋଗୁଁ ସାରା ବିଶ୍ୱରେ ମୁଦ୍ରାସ୍ଫୀତି ବଢ଼ିବାର ଆଶଙ୍କା ଦେଖାଦେଇଛି ।



