ଆମେରିକାର ଭୂମିକା

ଆମେରିକାର ଭୂମିକା
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଇରାନର ପାଲଟା ଆକ୍ରମଣ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ କଲେ, ସେ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବିଗତ ଦୁଇ ଦଶନ୍ଧି ଧରି ଇରାନର ପରମାଣୁ କାର୍ଯ୍ୟକ୍ରମକୁ ଇସ୍ରାଏଲ୍ ପାଇଁ ବିପଦ ବୋଲି ଦର୍ଶାଇ ଆସୁଥିବା ନେତନ୍ୟାହୁ, ୪ ଫେବୃଆରୀ ୨୦୨୫ରେ ଟ୍ରମ୍ପଙ୍କୁ ଭେଟିବା ପରେ ଏହି ବଡ଼ ଧରଣର ଆକ୍ରମଣର ପୃଷ୍ଠଭୂମି ପ୍ରସ୍ତୁତ କରିଥିବାନେଇ ଦାବି ହେଉଛି । ପ୍ରାରମ୍ଭରେ ଟ୍ରମ୍ପ ଏହି ଯୁଦ୍ଧରେ ସାମିଲ ହେବାକୁ ଚାହୁଁନଥିଲେ ଏବଂ ନେତନ୍ୟାହୁଙ୍କୁ ଚେତାବନୀ ମଧ୍ୟ ଦେଇଥିଲେ ବୋଲି ଜଣା ପଡିଛି । କିନ୍ତୁ ପରବର୍ତ୍ତୀ ସମୟରେ ଇସ୍ରାଏଲ୍ ଆମେରିକାକୁ ବିଶ୍ୱାସ ଦେଇଥିଲା ଯେ ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ଇରାନ ସହ ପରମାଣୁ ଚୁକ୍ତି ସହଜ ହେବ। ୯ ଜୁନ୍ ୨୦୨୫ରେ ନେତନ୍ୟାହୁ ଟ୍ରମ୍ପଙ୍କୁ ଫୋନ୍ କରି "ମିଶନ୍ ଆରମ୍ଭ ହୋଇଯାଇଛି" ବୋଲି ଜଣାଇବା ପରେ ଟ୍ରମ୍ପଙ୍କ ପାଖରେ ଇସ୍ରାଏଲକୁ ସମର୍ଥନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ଶେଷରେ ୨୨ ଜୁନ୍ ୨୦୨୫ରେ ଟ୍ରମ୍ପ ମଧ୍ୟ ବି _ ୨ ବମ୍ବର ଜରିଆରେ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ଇରାନର ପରମାଣୁ କ୍ଷମତାକୁ ବହୁ ବର୍ଷ ପଛକୁ ଠେଲି ଦେଇଥିଲା । ହେଲେ ଜୁନ୍ ମାସର ଆକ୍ରମଣ ପରେ ଇରାନର ପରମାଣୁ କ୍ଷମତା ଶେଷ ହୋଇଯାଇଥିବା କୁହାଯାଉଥିଲେ ହେଁ, ଅକ୍ଟୋବର ୨୦୨୫ରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏକ ନୂତନ ବିପଦ ବିଷୟରେ ଚେତାବନୀ ଦେଇଥିଲେ। ସେ ଦାବି କରିଥିଲେ ଯେ ଇରାନ ୮ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା 'ଇଣ୍ଟର-କଣ୍ଟିନେଣ୍ଟାଲ୍ ବାଲିଷ୍ଟିକ୍ ମିସାଇଲ୍' ପ୍ରସ୍ତୁତ କରୁଛି, ଯାହା ଆମେରିକାର ଯେକୌଣସି ସହରକୁ ଧ୍ୱଂସ କରିପାରିବ । ଏହି ସମୟରେ ଓମାନର ମଧ୍ୟସ୍ଥତାରେ ଆମେରିକା ଓ ଇରାନ ମଧ୍ୟରେ ପରମାଣୁ ଚୁକ୍ତି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ଚାଲିଥିଲା । ୨୮ ଫେବୃଆରୀରେ ଏକ ଶାନ୍ତି ଚୁକ୍ତି ହେବାର ପୂର୍ଣ୍ଣ ସମ୍ଭାବନା ଥିଲା । ମାତ୍ର 'ୱାଶିଂଟନ୍ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ନେତନ୍ୟାହୁ ଏବଂ ସୌଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ  ଗୁପ୍ତରେ ଟ୍ରମ୍ପଙ୍କ ଉପରେ ଚାପ ପକାଇ ଆକ୍ରମଣ ପାଇଁ ପ୍ରବର୍ତ୍ତାଇଥିଲେ। ମହମ୍ମଦ ବିନ୍ ସଲମାନ ଚେତାବନୀ ଦେଇଥିଲେ ଯେ ଯଦି ଏବେ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଇରାନ ଭବିଷ୍ୟତରେ ଅଧିକ ଭୟଙ୍କର ରୂପ ନେବ । ଶେଷରେ ଏହି ରଣନୈତିକ ଚାପରେ ପଡ଼ି ଟ୍ରମ୍ପ ଚୁକ୍ତିର ମାତ୍ର କିଛି ଦିନ ପୂର୍ବରୁ ଇରାନ ଉପରେ ଏକ ବିଶାଳ ସାମରିକ ଆକ୍ରମଣ ପାଇଁ ଆଦେଶ ଦେଇଥିଲେ, ଯାହା ଚାଲିଥିବା ସମସ୍ତ କୂଟନୈତିକ ପ୍ରୟାସକୁ ପୁଣିଥରେ ଧୂଳିସାତ୍ କରିଦେଇଥିଲା ।

ସମ୍ବନ୍ଧିତ ଖବର ବଢୁଛି ତେଲ ଦର,ସଙ୍କଟରେ ପାକିସ୍ତାନ!

Tags: